ଆୟୁର୍ବେଦର ମୂଳ ସିଦ୍ଧାନ୍ତ ତ୍ରିଦୋଷ । ଯାହା ଶରୀରର ପ୍ରାକୃତିକ ପ୍ରଣାଳୀ ଓ ଗହନ ପ୍ରକ୍ରିୟାକୁ ବୁଝିବା ପାଇଁ ଅତ୍ୟନ୍ତ ସରଳ ସୁତ୍ର । ତ୍ରିଦୋଷ ତିନି ପ୍ରକାର ଜୈବିକ ଶକ୍ତିକୁ ସୂଚୀତ କରିଥାଏ, ଯାହା ଶାରୀରିକ ଓ ମାନସିକ କ୍ରିୟାକୁ ନିୟନ୍ତ୍ରିତ କରିଥାଏ ।
ଆୟୁର୍ବେଦରେ ତ୍ରିଦୋଷ ସିଦ୍ଧାନ୍ତ
ତ୍ରିଦୋଷ ସିଦ୍ଧାନ୍ତ ଆୟୁର୍ବେଦିକ ଚିକିତ୍ସା ପଦ୍ଧତିର କେନ୍ଦ୍ରୀୟ ଅବଧାରଣା । ସମସ୍ତ ଶାରୀରିକ କାର୍ଯ୍ୟ ଏହି ୩ ମୂଳ ଶକ୍ତି ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ପଞ୍ଚଭୂତର ଦୁଇଟି ଲେଖାଏ ଉପାଦାନର ସମିଶ୍ରଣରେ ଦୋଷର ଉତ୍ପତ୍ତି ହୋଇଥାଏ ।
- ବାୟୁ ଓ ଆକାଶ ତତ୍ତ୍ବର ମିଶ୍ରଣରେ ବାତ ଦୋଷର ଉତ୍ପତି
- ଅଗ୍ନି ଓ ଜଳ ତତ୍ତ୍ବର ମିଶ୍ରଣରେ ପିତ୍ତ ଦୋଷର ଉତ୍ପତି
- ଜଳ ଓ ପୃଥିବୀ ତତ୍ତ୍ବର ମିଶ୍ରଣରେ କଫ ଦୋଷର ଉତ୍ପତ୍ତି ହୋଇଥାଏ ।
ଏହି ତ୍ରିଶକ୍ତି ବା ତ୍ରିଦୋଷ ପ୍ରତି ବ୍ୟକ୍ତିଙ୍କ ଶରୀରରେ ଭିନ୍ନ ଭିନ୍ନ ଅନୁପାତରେ ଜନ୍ମରୁ ମହଜୁଦ ଥାଏ ।
|| आयुर्वेद ।।
समदोषाः समाग्निश्च समाधातुमलकियः । प्रसन्नात्मेन्द्रियमनाः स्वस्थ्य इतिभिधीयते ।।
(An individual/person who is in a state of equilibrium of body's; Doshas (humors), Agni (digestive fire), Dhatus (tissues), Malah kriya (Physiological functions) and whose Aatma (soul), Indriya (senses) and Mana (Mind); all are happy, is considered as a healthy individual.)
Aso Read: ପ୍ରାଣାୟାମ କଣ ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ ?
ବାତ ଦୋଷ
ବାୟୁ ଓ ଆକାଶ ତତ୍ବର ସଂଯୋଜନ ବାତ ସମଗ୍ର ଶରୀରରେ ଗତିଶୀଳ ଥାଏ । ଶ୍ବାସକ୍ରିୟା, ହୃହୟ ସ୍ପନ୍ଦନ, ମାଂସପେଶୀର ଚାଳନା, ଏପରିକି ଆମ ବିଚାର ପ୍ରକ୍ରିୟାକୁ ମଧ୍ୟ ବାତ ନିୟନ୍ତ୍ରିତ କରିଥାଏ । ଏହା ଥଣ୍ଡା, ହାଲକା, ଶୁଷ୍କ ଓ ଗତିଶୀଳ ବା ପରିବର୍ତ୍ତନ ଗୁଣଯୁକ୍ତ । ଶରୀରରେ ବାତ ସନ୍ତୁଳିତ ରହିଲେ ଶରୀର ଚଞ୍ଚଳ ରହିବା ସହ ସୃଜନଶୀଳତା ବୃଦ୍ଧି ପାଇଥାଏ । ବାତ ଅସନ୍ତୁଳିତ ହେଲେ ମନରେ ଚିନ୍ତା, ଭୟ ଭାବନା ସୃଷ୍ଟି ହେବା ସହ ଶରୀରର ତ୍ବଚା ଶୁଷ୍କ ହୋଇଥାଏ । ଖାଦ୍ୟ ହଜମରେ ସମସ୍ୟା ଦେଖାଦିଏ ।ମନ ବିଚଳିତ ହୋଇଥାଏ । କୌଣସି କାର୍ଯ୍ୟରେ ମନ ଲାଗି ନଥାଏ ।
ବାତଦୋଷର କ୍ରିୟାକୁ ନେଇ ୫ ଭାଗରେ ବିଭକ୍ତ କରାଯାଇଛି । ଯଥା-
- ପ୍ରାଣ ବାତ
- ଉଦାନ ବାତ
- ବ୍ୟାନ ବାତ
- ସମାନ ବାତ
- ଅପାନ ବାତ
୧.ପ୍ରାଣ ବାତ- ପ୍ରାଣ ବାତ ହିଁ ସମ୍ପୂର୍ଣ୍ଣ ଶରୀରରେ ବାତଦୋଷକୁ କ୍ରିୟାଶୀଳ କରିଥାଏ । ଏହା ମଥା, ଗଳା ଓ ହୃଦୟରେ କ୍ରିୟାଶୀଳ ରହିଥାଏ । ପ୍ରାଣ ବାତ ଚିନ୍ତା କରିବା, ସୃଜନଶୀଳତା, ନୂଆ ଜ୍ଞାନ ଆହରଣ, ଶ୍ବାସକ୍ରିୟା ସମ୍ପାଦନ କରିଥାଏ ।
୨. ଉଦାନ ବାତ- ଉଦାନ ବାତ ଗଳାରୁ ଛାତି ମଧ୍ୟରେ ରହିଥାଏ । କାଶ, ଛିଙ୍କ, ହେକୁଟି ଆଦି କ୍ରିୟାକୁ ସମ୍ପାଦିତ କରିଥାଏ ।
୩. ବ୍ୟାନ ବାତ- ବ୍ୟାନ ବାତ ହୃଦୟରୁ ସମ୍ପୂର୍ଣ୍ଣ ଶରୀରରେ ଆଚ୍ଛାଦିତ ଚର୍ମରେ ବ୍ୟାପ୍ତ ଥାଏ । ହୃଦୟ ସ୍ପନ୍ଦନ ସହ ସ୍ପର୍ଶ ଅନୁଭବ, ଶରୀରରୁ ଝାଳ ବାହାରିବା କ୍ରିୟା ବ୍ୟାନ ବାତ ଯୋଗୁ ହୋଇଥାଏ ।
୪. ସମାନ ବାତ- ସମାନ ବାତ ମୁଖ୍ୟତଃ ପାକସ୍ଥଳୀରେ ରହିଥାଏ । ଖାଦ୍ୟ ପାଚନ ଓ ହଜମ କ୍ରିୟା କରିଥାଏ ।
୫. ଅପାନ ବାତ- ଅପାନ ବାତ ଶରୀରର ନିମ୍ନଭାଗରେ ସକ୍ରିୟ ରହିଥାଏ । ଏହାଦ୍ବାରା ଋତୁସ୍ରାବ, ବିର୍ଯ୍ୟ ସ୍ଖଳନ ଓ ପରିସ୍ରା କ୍ରିୟା ସମ୍ପାଦିତ ହୋଇଥାଏ ।
ପିତ୍ତ ଦୋଷ
ଅଗ୍ନି ଓ ଜଳ ତତ୍ବର ସଂଯୋଜନ ପିତ୍ତ ଶରୀରରେ ପାଚନ, ଅବଶୋଷଣ, ପୋଷଣ ସହ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ । ପିତ୍ତର ଗୁଣ ହେଉଛି ଉଷ୍ଣ, ହାଲକା, ତୀବ୍ର ଓ ଅମ୍ଳୀୟ । ଶରୀରରେ ପିତ୍ତ ସନ୍ତୁଳିତ ରହିଲେ ଧୈର୍ଯ୍ୟ ବୃଦ୍ଧି ପାଏ, ବୁଦ୍ଧି ତୀଷ୍ମ ହୋଇଥାଏ । ପିତ୍ତ ଅସନ୍ତୁଳିତ ହେଲେ ଶରୀରିକ ପୀଡ଼ା ସହ ଶରୀର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥାଏ । ମନରେ କ୍ରୋଦ୍ଧ, ଘୃଣା ଓ ଇର୍ଷା ଭାବନା ବଢ଼ିଥାଏ ।
ପିତ୍ତ ଦୋଷର କ୍ରିୟାକୁ ନେଇ ୫ ଭାଗରେ ବିଭକ୍ତ କରାଯାଇଛି । ଯଥା-
- ଆଲୋଚକ ପିତ୍ତ
- ଭ୍ରାଜକ ପିତ୍ତ
- ସାଧକ ପିତ୍ତ
- ପାଚକ ପିତ୍ତ
- ରଞ୍ଜକ ପିତ୍ତ
୧. ଆଲୋଚକ ପିତ୍ତ- ଆଲୋଚକ ପିତ୍ତ ଆଖିର ଚତୁପାର୍ଶ୍ବରେ ଥାଏ । ଏହା ଦୃଷ୍ଟି ଶକ୍ତିକୁ ସକ୍ରିୟ କରିଥାଏ ।
୨. ଭ୍ରାଜକ ପିତ୍ତ- ଭ୍ରାଜକ ପିତ୍ତ ଚର୍ମରେ ରହିଥାଏ । ଚର୍ମ ଶୁଷ୍କ କିମ୍ବା ଚିକ୍କଣ ଦୃଶ୍ୟମାନ ହେବା ଭ୍ରାଜକ ପିତ୍ତ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।
୩. ସାଧକ ପିତ୍ତ- ସାଧକ ପିତ୍ତ ଛାତି ଓ ମସ୍ତିଷ୍କରେ ରହିଥାଏ । ମାନସିକ ସନ୍ତୁଳନ, ବୁଦ୍ଧିମତା, ସ୍ମରଣ ଶକ୍ତି କାର୍ଯ୍ୟକ୍ଷମତା ସାଧକ ପିତ୍ତ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।
୪. ପାଚକ ପିତ୍ତ- ପାଚକ ପିତ୍ତ ପାକସ୍ଥଳୀରୁ ମଳଦ୍ବାର ଯାଏ ସକ୍ରିୟ ଥାଏ । ଖାଦ୍ୟରୁ ପୋଷଣ ସଂଗ୍ରହ କରିବା ସହ ବର୍ଜ୍ୟ ତ୍ୟାଗ କ୍ରିୟା ପାଚକ ପିତ୍ତ ଦ୍ବାରା ସମ୍ପାଦିତ ହୋଇଥାଏ ।
୫. ରଞ୍ଜକ ପିତ୍ତ- ରଞ୍ଜକ ପିତ୍ତ ଲିଭର ସହ ଶିରା ଓ ଧମନୀରେ ରହିଥାଏ । ରକ୍ତ ପ୍ରବାହ ସହ ପ୍ରତି କୋଷକୁ ଖାଦ୍ୟ ଯୋଗାଇଥାଏ ।
କଫ ଦୋଷ
ଜଳ ଓ ପୃଥିବୀ ତତ୍ବର ସଂଯୋଜନ କଫ, ଶାରୀରିକ ସଂରଚନା ଓ ଚିକ୍କଣତାର ପ୍ରତିନିଧିତ୍ବ କରିଥାଏ । କଫ ଶରୀରର ସମସ୍ତ ଅଙ୍ଗକୁ ଚୁଚାରୁ ରୂପେ କାର୍ଯ୍ୟକ୍ଷମ କରିଥାଏ । କଫର ଗୁଣ ଥଣ୍ଡା, ସିକ୍ତ, ଓଜନିଆ ଓ ସ୍ଥିର । ଶରୀରରେ କଫ ସନ୍ତୁଳିତ ଥିଲେ ଶରୀର ଶାନ୍ତ ରହେ । ମନରେ ଦୟା, କ୍ଷମା ଗୁଣ ଜାତ ହୁଏ । କଫ ଅସନ୍ତୁଳିତ ହେଲେ ଶରୀରରେ ମେଦବହୁଳତା, ମଧୁମେହ, ସାଇନସ ସମସ୍ୟା ଦେଖା ଦେବା ସହ ମନରେ ଇର୍ଷା ଭାବନା ବଢ଼ିଥାଏ ।
କଫ ଦୋଷର କାର୍ଯ୍ୟକୁ ନେଇ ମଧ୍ୟ ୫ ଭାଗରେ ବିଭକ୍ତ କରାଯାଇଛି । ଯଥା-
- କ୍ଲେଦକ କଫ
- ବୋଧକ କଫ
- ଅଭଲାମ୍ବକ କଫ
- ତାର୍ପକ କଫ
- ଶ୍ଳେଷକ କଫ
୧. କ୍ଲେଦକ କଫ- କ୍ଲେଦକ କଫ ଛାତିରେ ସକ୍ରିୟ ଥାଏ । ଖାଦ୍ୟକୁ ହଜମ ଉପଯୋଗୀ କରିଥାଏ । ମିଠା, ଖଟା ଜାତୀୟ ଖାଦ୍ୟ ହଜମ ପାଇଁ ଅଧିକ କଫର ଉପଯୋଗ ଫଳରେ ଶରୀର ଅଧିକ ଭାରୀ ହୋଇଥାଏ ।
୨. ବୋଧକ କଫ- ବୋଧକ କଫ ଜିଭ ଓ ଗଳାରେ ରହିଥାଏ । ଖାଦ୍ୟ ଖାଇବା ସମୟରେ ଲାଳ ଉଦଗମ ସହ ଖାଦ୍ୟକୁ ନରମ ଓ ହଜମ ଉପଯୋଗୀ ବନାଇଥାଏ ।
୩. ଅଭଲାମ୍ବକ କଫ- ଅଭଲାମ୍ବକ କଫ ଛାତିରେ ରହିଥାଏ । ଏହାଦ୍ବାରା ଶ୍ବାସକ୍ରିୟା ସମ୍ପାଦିତ ହୋଇଥାଏ । ଶ୍ବାସକ୍ରିୟାକୁ ସୁଗମ କରିବାରେ ଅଭଲାମ୍ବକ କଫ ସାହାଯ୍ୟ କରିଥାଏ ।
୪. ତାର୍ପକ କଫ- ତାର୍ପକ କଫ ମଥା ଓ ସ୍ପାଇନାଲ କଡରେ ରହିଥାଏ । ମସ୍ତିଷ୍କରେ ଅମ୍ଳଜାନ ପହଞ୍ଚିବାରେ ସାହାଯ୍ୟ କରିଥାଏ ।
୫. ଶ୍ଳେଷକ କଫ- ଶ୍ଳେଷକ କଫ ଶରୀରର ସମସ୍ତ ଗଣ୍ଠି ସ୍ଥାନରେ ରହିଥାଏ । ଗଣ୍ଠିକୁ କ୍ରିୟାଶୀଳ ରଖିବା ପାଇଁ ଆବଶ୍ୟକ ତୈଳ ଯୋଗାଇଥାଏ ।
Ayurveda is one of the fastest modes to good health as Ayurveda follows a simple path that is developed or is appropriate to your body type or dosha. Ayurveda follows the concept of understanding the doshas in order to heal oneself. The three ayurvedic body types, or doshas, are pic.twitter.com/kHraZE53Ya
— Vedic Gyaan (@vedicgyaanindia) January 27, 2021
ତ୍ରିଦୋଷ ସନ୍ତୁଳନ ସୁତ୍ର
ଆୟୁର୍ବେଦ ଅନୁସାରେ ସୁସ୍ଥ ଓ ନିରୋଗ ଶରୀର ଗଠନ ପାଇଁ ତ୍ରିଦୋଷକୁ ସନ୍ତୁଳିତ ରଖିବା ଅତ୍ୟନ୍ତ ଜରୁରୀ । ପ୍ରତି ବ୍ୟକ୍ତି ତିନି ଦୋଷର ନିଆରା ସଂଯୋଜନ ସହ ଜନ୍ମ ହୋଇଥାନ୍ତି । ଯାହାକୁ ଶାରୀରିକ ପ୍ରକୃତି ଭାବେ ବିବେଚନା କରାଯାଏ । ବ୍ୟକ୍ତିଙ୍କ ଶାରୀରିକ, ମାନସିକ ଓ ଭାବନାତ୍ମକ ବିଶେଷତାକୁ ତ୍ରିଦୋଷ ସରଂଚନା ପରିଭାଷିତ କରିଥାଏ । ପ୍ରତି ଋତୁରେ ଏପରି ଗୁଣ ରହିଥାଏ, ଯାହା ଏକ ନିର୍ଦ୍ଦିଷ୍ଟ ଦୋଷକୁ ପ୍ରଭାବିତ କରିଥାଏ । ଯେପରିକି ଗ୍ରୀଷ୍ମ ଋତୁରେ ଶରୀରରେ ପିତ୍ତ ବଢିଥାଏ ଓ ବର୍ଷା ଋତୁରେ କଫ ବୃଦ୍ଧି ପାଇଥାଏ । ସାଧାରଣତଃ ଶରୀରର ନାଭିରୁ ନିମ୍ନଭାଗରେ ବାତଦୋଷ ସକ୍ରିୟ ରହୁଥିବାବେଳେ ପେଟ ଓ ଛାତିରେ ସକ୍ରିୟ ଥାଏ ପିତ୍ତଦୋଷ । ଛାତିରୁ ମଥା ଯାଏ ସକ୍ରିୟ ରହିଥାଏ କଫଦୋଷ ।
-ଶରୀରରେ ବାତ ସନ୍ତୁଳନ ପାଇଁ ଉତ୍ତମ ଜୀବନଚର୍ଯ୍ୟା ସହ କମ୍ ପରିମାଣରେ ତେଲ, ମସଲା ଓ କମ୍ ଲୁଣଯୁକ୍ତ ଘରୋଇ ରନ୍ଧା ଖାଦ୍ୟ ଖାଇବା ଉଚିତ । ନିୟମିତ ବ୍ୟାୟାମ କିମ୍ବା ଯୋଗ, ଧ୍ୟାନ ମଧ୍ୟ ଜରୁରୀ ।
-ପିତ୍ତ ସନ୍ତୁଳନ ପାଇଁ ଅଧିକ ରାଗ ଓ ଅମ୍ଳଯୁକ୍ତ ଖାଦ୍ୟ ପରିହାର କରିବା ଆବଶ୍ୟକ । କଦଳୀ, ଅମୃତଭଣ୍ଡା ପରି ଥଣ୍ଡା ଗୁଣଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
-ଶରୀରରେ କଫ ଦୋଷ ସନ୍ତୁଳନ ପାଇ ଥଣ୍ଡା ଗୁଣଯୁକ୍ତ ଖାଦ୍ୟ ପରିହାର ସହ ନିୟମିତ ବ୍ୟାୟାମ ଜରୁରୀ ।
ଆହାର, ଜୀବନଶୈଳୀ, ପରିବେଶ, ଭାବନାତ୍ମକ ସ୍ଥିତି ତ୍ରିଦୋଷର ସନ୍ତୁଳନକୁ ପ୍ରଭାବିତ କରିଥାଏ । ତ୍ରିଦୋଷ ଅବଧାରଣା ମାନବ ଶରୀର ଓ ପ୍ରକୃତିର ବିଶେଷତାକୁ ଦର୍ଶାଇଥାଏ । ଏଥିପାଇଁ ଆୟୁର୍ବେଦରେ ତ୍ରିଦୋଷ ଓ ତ୍ରିଗୁଣର ସନ୍ତୁଳନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।
ତ୍ରିଦୋଷ ସନ୍ତୁଳନ ପାଇଁ ତ୍ରିଫଳାକୁ ଆୟୁର୍ବେଦରେ ଶକ୍ତିଶାଳୀ ଔଷଧ କୁହାଯାଇଛି । କାରଣ ଅଁଳା ଶରୀରରେ ପିତ୍ତକୁ ଶାନ୍ତ କରୁଥିବାବେଳେ, ବାହାଡ଼ା କଫକୁ କମ୍ କରିଥାଏ ଏବଂ ହରିଡ଼ା ବାତକୁ କମ୍ କରିଥାଏ ।