ଜୀବନ ଯୁଦ୍ଧରେ ପରାଜିତ ଜଣେ ଅସହାୟ ବ୍ୟକ୍ତି ଜୀବନ ହାରିବାକୁ ନେଇଥିଲେ ଚୁଡ଼ାନ୍ତ ନିଷ୍ପତ୍ତି । ଅଭାବ, ଅନଟନ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ଭାଙ୍ଗି ଚୁରମାର କରିସାରିଥିଲା। ଘର ଛାଡ଼ିଥିଲେ... ମୋହ ତୁଟାଇଥିଲେ... ବାସ୍ ଗୋଟେ ଖିଆଲରେ ଚାଲିଥିଲେ ଆଉ ଚାଲିଥିଲେ । ଜଣାନଥିଲା ଦିଗ, ଜଣାନଥିଲା ରାସ୍ତା, ଜଣାନଥିଲା ଠିକଣା । ଦିନ ଯାଇ ସଂଧ୍ୟା ନଇଁ ଆସିଥିଲା । ପାଦ ଅବଶ ହୋଇପଡ଼ିଥିଲା । ଦେହ ଖୋଜୁଥିଲା ବିଶ୍ରାମ । ବାସ୍ ନଦୀ କୂଳରେ ଲଟକି ଯାଇଥିଲା ପାଦ ।
ବେଦ ଜ୍ଞାନ କଣ?
ସ୍ଥାନ ଥିଲା ଗୋଟିଏ ନିର୍ଜନ ନଦୀକୂଳ । ନଦୀଜଳର କୁଳୁକୁଳୁ ନାଦ ବ୍ୟକ୍ତିଙ୍କର ମନକୁ ଛୁଇଁପାରିନଥିଲା । ଆଉ ମାତ୍ର କେଇ କ୍ଷଣ ପରେ... । ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ନେଇଥିବା ଶେଷ ନିଷ୍ପତ୍ତି ସାକାର କରିବାକୁ ବ୍ୟକ୍ତି ଜଣଙ୍କ ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିଲେ । ନିହାତି ଅନ୍ୟମନସ୍କ ଭାବେ ହାତରେ ଛୋଟଛୋଟ ପଥର ଗୋଟାଇ ନଦୀ ଜଳକୁ ନିକ୍ଷେପ କରୁଥିଲେ ବ୍ୟକ୍ତି ଜଣକ । ପ୍ରିୟଜନଙ୍କୁ ଭୁଲିଯିବା ପାଇଁ ସେ ଶେଷଥର ପାଇଁ ସମସ୍ତଙ୍କୁ ମନେ ପକାଇବାକୁ ପ୍ରୟାସ କରୁଥିଲେ ।
ସମୟ ଗଡ଼ି ଚାଲିଥିଲା। ରାତି ପାହି ପାହି ଆସୁଥିଲା । ହଠାତ୍ ପାଣିକୁ ନିକ୍ଷେପ କରିବାକୁ ଯାଉଥିବା ପଥରଟି ଉପରେ ବ୍ୟକ୍ତିଙ୍କ ଦୃଷ୍ଟି ପଡ଼ିଲା । ଆଶ୍ଚର୍ଯ୍ୟ...ତାହା ପଥର ନଥିଲା...ଥିଲା ସୁନା ମୁଣ୍ଡାଟିଏ...
ମୂଲ୍ୟହୀନ ପଥର ଭାବି ସାରା ରାତି ନଦୀ ଜଳ ମଧ୍ୟକୁ ଫିଙ୍ଗିଥିବା ପଥର ସବୁ ସାମାନ୍ୟ ନଥିଲା ବରଂ ଥିଲା ସୁନା ଖଣ୍ଡ । ଅଭାବର ଶରବ୍ୟ ହୋଇ ଜୀବନ ହାରିବାକୁ ଯାଇଥିବା ମଣିଷଟି ପାଇଁ ଏହାଠାରୁ ବଳି ଅଲୌକିକତା ବା କଣ ହୋଇପାରେ । ଉଜାଗର ରାତିରେ ନଦୀକୁ ଫିଙ୍ଗିଥିବା ପଥର ଖଣ୍ଡର ସନ୍ଧାନ କରି ବିଫଳ ହୋଇଥିଲେ ବ୍ୟକ୍ତି ଜଣକ । କେବଳ ହାତରେ ଥିବା ଗୋଟିଏ ମାତ୍ର ସୁବର୍ଣ୍ଣ ଖଣ୍ଡ ବି ତାଙ୍କର ଶେଷ ନିଷ୍ପତ୍ତିକୁ ବଦଳାଇଦେଇଥିଲା ।
Also Read: Vedic Wisdom: ନାଦ ଯୋଗ, ଓଁକାର ଓ ଭାରତ ସଂସ୍କୃତିର ଅବତାରଣା
'ବେଦ'ର ମୂଲ୍ୟ ସୁବର୍ଣ୍ଣ ଖଣ୍ଡ ପରି
ବିଦେଶୀଙ୍କ ପାଇଁ 'ବେଦ'ର ମୂଲ୍ୟ ଠିକ୍ ଏହି ସୁବର୍ଣ୍ଣ ଖଣ୍ଡ ପରି । ମୂଲ୍ୟ ଜାଣିବାରେ ବହୁ ବିଳମ୍ବ କରିଥିଲେ ସତ୍ୟ, କିନ୍ତୁ ଜାଣିଯିବା ପରେ ବେଦର ପ୍ରତି ପୃଷ୍ଠାରୁ ଅମାପ ଜ୍ଞାନ ହରଣ କରିବାକୁ ପାଶ୍ଚାତ୍ୟର ଶକ୍ତି ବିନିଯୋଗ କରିବାକୁ ଲାଗିଗଲେ । ଆଧୁନିକ ସମୟରେ ବିଜ୍ଞାନର ସଫଳ ଓ ପ୍ରକୃଷ୍ଠ ଉଦ୍ଭାବନ ଓ ଆବିଷ୍କାରର ମୂଳ ତତ୍ତ୍ୱ ହଜାର ହଜାର ବର୍ଷ ପୂର୍ବରୁ ବେଦରେ ସ୍ଥାନିତ ହୋଇଛି । ଏହାହିଁ ପାଶ୍ଚାତ୍ୟ ପଣ୍ଡିତଙ୍କ ଜ୍ଞାନ ଅହଂକାର ଉପରେ ଶକ୍ତ ପ୍ରହାର ସଦୃଶ ।
ଧାର୍ମିକ ପୁସ୍ତକ ମନେକରି ବେଦକୁ ହେୟଜ୍ଞାନ କରୁଥିବା ବିଦେଶୀ ବହୁ ବିଳମ୍ବରେ ଏହାର ଅର୍ଥ ଜାଣିପାରିଥିଲେ । ମାନବ ଜୀବନର ମାର୍ଗଦର୍ଶନ ସହ ଭାରତୀୟ ସଂସ୍କୃତିରେ ଆଧ୍ୟାତ୍ମିକ ବିଜ୍ଞାନ, ଅସ୍ତିତ୍ୱ ଭିତରେ ନିରାକାରଙ୍କ ସନ୍ଧାନ ପରି ଜଟିଳ ବିଷୟକୁ ମଧ୍ୟ ବିଦେଶୀ ଧୀରେଧୀରେ ବୁଝିପାରିଥିଲେ । ଦୈତ ଓ ଅଦୈତ ମତବାଦର ଅର୍ଥ ବୁଝିନପାରି ଶାସନ କାଳରେ ଯେଉଁ ବିଦେଶୀ ଭାରତୀୟଙ୍କୁ ଅନ୍ଧବିଶ୍ୱାସୀ, କୁସଂସ୍କାରୀ କହି କଟାକ୍ଷ କରୁଥିଲେ, ସେହି ବିଦେଶୀଙ୍କ ଉତ୍ତର ପିଢ଼ି ଭାରତୀୟ ଦର୍ଶନର ଜୟଗାନ କରିବାକୁ ବାଧ୍ୟ ହେଉଛନ୍ତି ।
Also Read: Confusion to Conclusion: କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? ପ୍ରଥମେ କଣ କରିବେ
ଭାରତୀୟ ବିଶ୍ୱାସ ଉପରେ ପ୍ରହାର
ହୁଣ୍, ତୁର୍କୀ, ପର୍ତ୍ତୁଗୀଜ, ମୋଗଲ, ଆଫଗାନୀ, ଇଂରେଜ ଭାରତରେ ପହଞ୍ଚିବା ପରେ ସର୍ବପ୍ରଥମେ ଭାରତୀୟ ବିଶ୍ୱାସ ଉପରେ ପ୍ରହାର କରିଥିଲେ । କଳେ-ବଳେ-କୌଶଳେ ଭାରତୀୟଙ୍କ ବିଶ୍ୱାସ ଭାଙ୍ଗିବାକୁ ଯୋଜନା କରିଥିଲେ । ଭାଙ୍ଗିଲେ ମନ୍ଦିର, ଭାଙ୍ଗିଲେ ମଠ, ଭାଙ୍ଗିଲେ ମଣ୍ଡପ, ଭାଙ୍ଗିଲେ ପାଠଶାଳା ...।
ଅସ୍ତିତ୍ୱର ଧ୍ୱଂସ ପରେ ବି ଅକ୍ଷତ ରହିଲା ବିଶ୍ୱାସ, ଭାରତୀୟ ବିଶ୍ୱାସର ବିଲୟ କରିବାରେ ଅସଫଳ ହେଲେ ବିଦେଶୀ । ଶହଶହ ବର୍ଷ ଧରି ଭାରତୀୟ ବିଶ୍ୱାସର ମୂଳପିଣ୍ଡ ସନ୍ଧାନ କରି ଧ୍ୱଂସ ଲୀଳା ରଚିବା ପରେ ବି ଭାରତୀୟଙ୍କ ମନରେ ଥିବା ବଦ୍ଧମୂଳ ଧାରଣାକୁ ପରିବର୍ତ୍ତନ କରିପାରିନଥିଲେ ପାଶ୍ଚାତ୍ୟ ଲୁଣ୍ଠନକାରୀ ।
ଭାରତ ଦର୍ଶନରେ ତ୍ରିଦେବଙ୍କ ଆରାଧନା ପୀଠକୁ ଚକ୍ରାନ୍ତ କରି ଧ୍ୱଂସ କରିବାକୁ ମନସ୍ଥ କରିଥିଲେ ବିଦେଶୀ । ଭାରତବର୍ଷରେ ଥିବା
- ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
- ଚାରିଧାମ
- ମହାଦେବଙ୍କ ଆବାସସ୍ଥଳ କାଶୀ ପୀଠ
- ଶ୍ରୀରାମଚନ୍ଦ୍ରଙ୍କ ଜନ୍ମପୀଠ ଅଯୋଧ୍ୟା
- ଶ୍ରୀକୃଷ୍ଣଙ୍କ ଜନ୍ମପୀଠ ମଥୁରା
ଉପରେ ବାରମ୍ବାର ଆକ୍ରମଣ ହୋଇଥିଲା ।
ନିରାକାରଙ୍କୁ ଦର୍ଶନ ପାଇଁ ଆକାରର ସନ୍ଧାନ
ନିରାକାରଙ୍କ ଦର୍ଶନ ପାଇଁ ଆକାରର ସନ୍ଧାନ କରୁଥିବା ଭାରତୀୟଙ୍କ ପାଇଁ ଅସ୍ତିତ୍ୱ (ମନ୍ଦିର, ମଠ, ପୀଠ, ମଣ୍ଡପ) କେବଳ ମାଧ୍ୟମ ହିଁ ଥିଲା । ନିଜ ଭିତରେ ଦେବ ଦର୍ଶନ ପାଇଁ ମଠ, ମନ୍ଦିରକୁ ଶକ୍ତି ପ୍ରବାହ ଉତ୍ସ ଭାବେ ଗ୍ରହଣ କରୁଥିଲେ ଭାରତୀୟ। ଅନ୍ତର୍ମୂଖୀ ହେବା ପାଇଁ ଭାରତୀୟଙ୍କୁ ମନ୍ଦିର, ମଠ ଓ ଦେବପୀଠରୁ ମିଳୁଥିଲା ଶକ୍ତି । କୌଣସି ମନ୍ଦିର ଭାଙ୍ଗିବା ପରେ ବି ସେହି ଭଗ୍ନ ସ୍ତୁପରେ ମୁଣ୍ଡ ନୁଆଁଉଥିଲେ ଭାରତୀୟ । ଯାହା ବିଦେଶୀଙ୍କୁ ଚକିତ କରୁଥିଲା ।
'ତେତ୍ରିଶ କୋଟି ଦେବତା'ର ଅର୍ଥ କଣ?
ବିଶ୍ୱାସ ଭାଙ୍ଗିବାକୁ ଶତ ଚେଷ୍ଟା ପରେ ବି ଭାରତୀୟଙ୍କ ମନରେ ଦେବ ଧ୍ୱନି ମୁଖରିତ ହେଉଥିଲା । ବିଦେଶୀଙ୍କ ପାଇଁ ଭାରତୀୟ ସଂସ୍କୃତିରେ ଅନ୍ୟ ଏକ ଦିଗ ମଧ୍ୟ ଆଶ୍ଚର୍ଯ୍ୟକର ଥିଲା । 'ତେତ୍ରିଶ କୋଟି ଦେବତା' (୧୨ ଆଦିତ୍ୟ, ୧୧ ରୁଦ୍ର, ୮ ବସୁ, ୨ ଅଶ୍ୱିନୀକୁମାର) ର ଅର୍ଥ ଭାରତ ମାଟିରୁ ବିଦା ହେବା ଯାଏ ବିଦେଶୀ ବୁଝିପାରିନଥିଲେ ।
ଯଦିଓ ୧୭୫୭ ମସିହାରେ ଗୋକୁଳ ଆକ୍ରମଣ ସମୟରେ ଆଫଗାନୀ ମହାଶିକ୍ଷା ପାଇଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଲୀଳାକ୍ଷେତ୍ର ମଥୁରା, ବୃନ୍ଦାବନ ପ୍ରତି ଭାରତୀୟଙ୍କ ଶ୍ରଦ୍ଧା ଓ ଭକ୍ତି ଆଫଗାନୀଙ୍କୁ ଉତ୍ତେଜିତ କରୁଥିଲା । ଦିଲ୍ଲୀରେ ମୋଗଲ ଶାସନ ଦୁର୍ବଳ ହୋଇଆସୁଥିବାବେଳେ ଆଫଗାନୀ ବାରମ୍ବାର ଭାରତ ଲୁଣ୍ଠନ ଜାରି ରଖିଥିଲେ ।
୧୭୫୭ରେ ଚତୁର୍ଥ ଥର ପାଇଁ ଆଫଗାନୀ ରାଜା ଅହମ୍ମଦ ଶାହ ଅବଦଲୀ ଉତ୍ତର ଭାରତ ଆକ୍ରମଣ କରିଥିଲା । ପ୍ରାୟ ୨୦ ହଜାର ଆଫଗାନୀ ସେନା ବଲ୍ଲଭଗଡ଼, ମଥୁରା, ବୃନ୍ଦାବନ, ଆଗ୍ରା, ମହାବନରେ ସଂହାର ଲୀଳା ରଚିଥିଲେ । ହଜାର ହଜାର ସଂଖ୍ୟାରେ ହିନ୍ଦୁଙ୍କୁ ହତ୍ୟା କରିବା ସହ ୬ ହଜାରରୁ ଅଧିକ ହିନ୍ଦୁ ମହିଳାଙ୍କୁ ଆଫଗାନୀସ୍ଥାନ ଚାଲାଣ କରାଯାଇଥିଲା । ଅନେକ ମହିଳା ଯମୁନା ନଦୀରେ ପ୍ରାଣ ବିସର୍ଜନ କରିଥିଲେ । ଏପରିକି ଆଫଗାନୀ ଆକ୍ରମଣରୁ ବର୍ତ୍ତିବା ପାଇଁ ମଥୁରା ଓ ବୃନ୍ଦାବନର ଶହଶହ ଲୋକ ବୃନ୍ଦାବନ ସ୍ଥିତ ଶିତଳା ମାତା ମନ୍ଦିର ଗୁମ୍ଫାରେ ୩ ଦିନ ଲୁଚି ରହିଥିଲେ । କିନ୍ତୁ ଆଫଗାନୀ ଗୁମ୍ଫାର ସନ୍ଧାନ ପାଇବା ସହ ସେହିଠାରେ ହିଁ ସମସ୍ତଙ୍କୁ ହତ୍ୟା କରିଥିଲେ । ମାତ୍ର ୩ ଦିନ ମଧ୍ୟରେ ଧର୍ମନଗରୀ ମଥୁରା, ବୃନ୍ଦାବନ ଆକାଶରେ କେବଳ ହିନ୍ଦୁତ୍ୱର ଆର୍ତ୍ତ ଚିତ୍କାର ହିଁ ଶୁଣିବାକୁ ମିଳିଥିଲା ।
ମହାବନ ଓ ଆଗ୍ରା ଲୁଣ୍ଠନ ପରେ ୧୦ ହଜାର ଆଫଗାନୀ ସେନା ଗୋକୁଳ ଆକ୍ରମଣ କରିଥିଲେ । ସେହିଠାରେ ହିଁ ୪ ହଜାର ନାଗା ସାଧୁ ଆଫଗାନୀଙ୍କୁ କଡ଼ା ଜବାବ ଦେଇଥିଲେ । ୫ ହଜାରରୁ ଅଧିକ ଆଫଗାନୀ ସେନା ମୃତାହତ ହୋଇଥିଲେ । ୨ ହଜାର ନାଗାସାଧୁଙ୍କ ବଳିଦାନ ଆଫଗାନୀଙ୍କୁ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ କରିଥିଲା । ଯାହାପରେ ଗୋକୁଳ ଉପରେ ବିଦେଶୀ ଆକ୍ରମଣ ହୋଇନଥିଲା ।
ବିଦେଶୀଙ୍କ ତଥ୍ୟ ସଂଗ୍ରହ ଜ୍ଞାନ ଅନୁସାରେ ନାଗା ସାଧୁ ଥିଲେ ଶିବ ଭକ୍ତ । କିନ୍ତୁ ଗୋକୁଳ ଥିଲା ଶ୍ରୀକୃଷ୍ଣଙ୍କ ଲୀଳାକ୍ଷେତ୍ର । ମଥୁରା, ବୃନ୍ଦାବନ ଲୁଣ୍ଠନ ପରେ ଗୋକୁଳରେ ନାଗାସାଧୁ ଆଫଗାନୀଙ୍କ ପଥରୋଧ କରିବେ, ଏହା ଶତ୍ରୁଙ୍କ ପାଇଁ କଳ୍ପନାତୀତ ଥିଲା । ମଥୁରା ଆକ୍ରମଣ ଖବର ପାଇବା ପରେ ଋଷିକେଶ ଓ ହରିଦ୍ୱାରରୁ ନାଗା ସାଧୁମାନେ ଭାରତୀୟ ସଂସ୍କୃତି ରକ୍ଷା ଉଦ୍ଦେଶ୍ୟରେ ମଥୁରା ଯାତ୍ରା ଆରମ୍ଭ କରିଥିଲେ ।
- ଭିନ୍ନ ଭିନ୍ନ ଦେବତାଙ୍କୁ ପୂଜା କରୁଥିବା ଭାରତୀୟ ଏକାଠି ରହନ୍ତି କିପରି?
- ଗୋଟିଏ ସମୟରେ ସମସ୍ତ ଦେବତା ସମାନ ହୋଇଯାଆନ୍ତି କିପରି?
- ଭାରତୀୟ କାହାକୁ ବିଶ୍ୱାସ କରନ୍ତି?
- କାହାକୁ ପୂଜା କରନ୍ତି?
- କେଉଁ ଦେବତାଙ୍କୁ ଭକ୍ତି କରନ୍ତି?
Also Read: Vedic Education System: ବୈଦିକ କାଳରେ ଗୁରୁକୂଳରେ କଣ ପଢୁଥିଲେ ଭାରତୀୟ ବିଦ୍ୟାର୍ଥୀ ?
ଯୁଗଯୁଗ ଧରି ଏହିସବୁ ପ୍ରଶ୍ନର ଉତ୍ତର ଖୋଜୁଥିଲେ ବିଦେଶୀ । ବନ୍ଧୁକ ମୂନରେ ଭାରତୀୟଙ୍କୁ ଡରାଇ ଲୁଣ୍ଠନ କରିବାରେ ସଫଳ ହେଲେ ମଧ୍ୟ ଧର୍ମାନ୍ତରୀକରଣରେ ବିଫଳ ହୋଇଥିଲେ ବିଦେଶୀ । କାରଣ ଭାରତୀୟଙ୍କ ବିଶ୍ୱାସର ଉତ୍ସ ଶେଷ ଯାଏ ବିଦେଶୀ ସନ୍ଧାନ କରିପାରିନଥିଲେ ।
ବେଦ ଭାରତୀୟ ବିଶ୍ୱାସର ଗୁପ୍ତ ରହସ୍ୟ
ବେଦରେ ହିଁ ରହିଛି ଭାରତୀୟ ବିଶ୍ୱାସର ଗୁପ୍ତ ରହସ୍ୟ । ବିଭେଦ, ବିଭାଜନ ପରେ ବି ଯେଉଁ ଜ୍ଞାନ ଭାରତବର୍ଷକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିଛି । ଯେଉଁ ରହସ୍ୟର ଉନ୍ମୋଚନ ପାଇଁ ବିଦେଶୀ ପଣ୍ଡିତ ଶେଷରେ ଆଦିଭାଷା, ଦେବଭାଷା ଶିକ୍ଷା କରିବା ସହ ବେଦ ଅଧ୍ୟୟନରେ ବ୍ରତୀ ହୋଇଛନ୍ତି । ବେଦ ପୃଷ୍ଠାରୁ ମାତ୍ର କାଣିଚାଏ ଜ୍ଞାନ ପ୍ରାପ୍ତ ପରେ ବିଜ୍ଞାନର ଜୟଗାନ କରୁଛି ପାଶ୍ଚାତ୍ୟ ସମାଜ । କିନ୍ତୁ ବାସ୍ତବରେ 'ବେଦ' ହିଁ ଜୀବନ ଧର୍ମ, ଜୀବନ ଦର୍ଶନ, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପାଣ୍ଡୁଲିପି ସଦୃଶ । ଉତଥାନ ସମୟରେ ହେଉ କ ି ବିନାଶ କାଳେ, ଦିନେନାଦିନେ ମାନବ ସମାଜ ଏହାକୁ ସ୍ବୀକାର କରିବ ନିଶ୍ଚୟ ।
©ପ୍ରକାଶ ରଂଜନ ପରିଡ଼ା