ଯୋଗୀ କହିଲେ ଆପଣ କଣ ବୁଝନ୍ତି? ଶ୍ୱେତ କିମ୍ବା ଗୈରିକ ବସ୍ତ୍ର ପରିହିତ, ମଥାରେ ତିଳକ-ଚନ୍ଦନ, ଶ୍ମଶ୍ରୁଭରା ମୁଖମଣ୍ଡଳ, ସାଦାସିଧା ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ଯୋଗୀ କି? ଏପରି ବ୍ୟକ୍ତି ଜଣେ ଯୋଗୀ ହୋଇପାରନ୍ତି, କିନ୍ତୁ ଏପରି ବାହ୍ୟ ବେଶଧାରୀ ବ୍ୟକ୍ତିଙ୍କୁ ଯୋଗୀ କୁହାଯାଏ ନାହିଁ ।
ପିଣ୍ଡ ଓ ବ୍ରହ୍ମାଣ୍ଡ
ଯୋଗର ଅର୍ଥ ହିଁ ଯୋଗ । ଯେଉଁ ବ୍ୟକ୍ତି ନିଜ ଅନ୍ତର ଓ ବାହ୍ୟ ପ୍ରକୃତି ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିପାରନ୍ତି, ପଞ୍ଚଭୂତର ପିଣ୍ଡ (ଶରୀର) ଓ ପଞ୍ଚଭୂତର ବ୍ରହ୍ମାଣ୍ଡ ( ବିଶ୍ୱ)କୁ ସମାନ ନଜରରେ ଦେଖିପାରନ୍ତି, ନିଜକୁ ବ୍ୟବସ୍ଥିତ କରିବା ସହ ସନ୍ତୁଷ୍ଟ ଓ ପ୍ରଶାନ୍ତ ରହିପାରନ୍ତି, ତାଙ୍କୁ ହିଁ ଯୋଗୀ କୁହାଯାଏ ।
ସ୍ରଷ୍ଠାଙ୍କ ସୃଷ୍ଟିରେ ପ୍ରତିଟି ଜୀବନ ପାଇଁ ସମାନ ଆଧାର ରହିଛି । ଆମ ଶରୀର ଯେପରି ଜୀବନ୍ତ, ବ୍ରହ୍ମାଣ୍ଡ ମଧ୍ୟ ସେହିପରି ଜୀବନ୍ତ । ଆମ ଶରୀରରେ ୭୨ ପ୍ରତିଶତ ଜଳ, ୧୨ ପ୍ରତିଶତ ସ୍ଥଳ, ୬ ପ୍ରତିଶତ ବାୟୁ, ୪ ପ୍ରତିଶତ ଅଗ୍ନି ଓ ଅବଶିଷ୍ଠାଂଶ ୬ ପ୍ରତିଶତ ଶୂନ୍ୟତାରେ ଭରିଥିବାବେଳେ ବ୍ରହ୍ମାଣ୍ଡ ପାଇଁ ମଧ୍ୟ ସମାନ ଆଧାର ଗ୍ରହଣ କରିଛନ୍ତି ସୃଷ୍ଟିକର୍ତ୍ତା । ଜୀବନକୁ ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଶକ୍ତିର ଉତ୍ସକୁ ମଧ୍ୟ ଅନ୍ତରରେ ସ୍ଥାନ ଦେଇଛନ୍ତି ସ୍ରଷ୍ଠା ।
ଯୋଗସୁତ୍ରରେ ଯୋଗ ସାଧକଙ୍କ ପାଇଁ ଉତ୍ତମ ମାର୍ଗଦର୍ଶନ ରହିଛି । ବ୍ରହ୍ମଶ୍ଚର୍ଯ୍ୟ ଓ ଗୃହସ୍ଥଙ୍କ ପାଇଁ ଯୋଗସୁତ୍ରରେ ଭିନ୍ନ ମାର୍ଗ ରହିଛି । ଯୋଗ ସାଧକ ନିଜ ଶରୀର, ମନ ସହିତ ନିଜ ଭାଗ୍ୟ ନିର୍ମାଣକୁ ସ୍ୱକାର୍ଯ୍ୟ ଭାବେ ଗ୍ରହଣ କରିଥାନ୍ତି । ପ୍ରକୃତି ପ୍ରତି ସେମାନଙ୍କ ମନରେ ସର୍ବଦା ଏକ ଶ୍ରଦ୍ଧାଶୀଳ ଭାବନା ଜାଗ୍ରତ ରହିଥାଏ ।
ଯୋଗ ଶରୀରରେ ସନ୍ତୁଷ୍ଟି ଓ ମନରେ ଭରିଥାଏ ପ୍ରସନ୍ନତା
ଦିନର ୨୪ ଘଣ୍ଚା, ବର୍ଷର ୩୬୫ ଦିନ ସୁଖରେ ବିତାଇବା ସମ୍ଭବ କି ? କେଇ କ୍ଷଣ ପୂର୍ବରୁ ଆପଣ ଓ ବର୍ତ୍ତମାନର ଆପଣଙ୍କ ଭିତରେ ଏପରି କଣ ପାର୍ଥକ୍ୟ ରହିଛି ନିଜେ ହିଁ ବିଚାର କରିନିଅନ୍ତୁ । ପ୍ରତିଦିନ ଆପଣ ସକାଳୁ ଉଠନ୍ତି, ଦୁନିଆକୁ ଦେଖନ୍ତି । ସଂସାରରେ ସ୍ରୋତରେ ନିଜକୁ ହଜାଇ ଦିଅନ୍ତି । ନିଜ କର୍ମ ସମ୍ପାଦନ କରନ୍ତି । ପୁଣି ରାତି ଆସେ ଆପଣ ନିଦ୍ରା ଯାଆନ୍ତି । ଏହି ଧାରାବାହିକ ଜୀବନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଆପଣ ସୁଖ ଖୋଜନ୍ତି । କେହି ଜଣେ ଆପଣଙ୍କୁ ପ୍ରଶଂସା କଲେ ଆପଣ ଖୁସି ହୁଅନ୍ତି । କୌଣସି ସଫଳତା ପ୍ରାପ୍ତି ଆପଣଙ୍କୁ ଖୁସି କରେ । କେହି ଆପଣଙ୍କୁ ଭଲ ପାଇଲେ ଆପଣ ନିଜ ଭିତରେ ଖୁସି ଅନୁଭବ କରନ୍ତି ।
Also Read: Science-Based Benefits of Yoga: ପରିବର୍ତ୍ତନ ନୁହେଁ, ମନ ଓ ଶରୀରର ପୁନଃ ନିର୍ମାଣ କରେ ଯୋଗ
ଆତ୍ମଗୁରୁ ସନ୍ଧାନ
ଅର୍ଥାତ ଆପଣ ଖୁସି ହେବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି । ଅନ୍ୟମାନଙ୍କର କିଛି ଆଚ୍ଚରଣ ଓ ଉଚ୍ଚାରଣ ଆପଣଙ୍କୁ ଖୁସି କରିବାରେ ସମର୍ଥ ହୋଇପାରେ । କିନ୍ତୁ ଖୁସି ଆପଣ କେଉଁଠୁ ଅନୁଭବ କରନ୍ତି; ଆପଣଙ୍କ ଅନ୍ତରରୁ କିମ୍ବା ବାହାରୁ ?
ଏପରିକି ଅନେକ ସମୟରେ ଅନ୍ୟମାନଙ୍କ ଦ୍ୱାରା ସମ୍ପାଦିତ ସେହି ସମାନ କ୍ରିୟା ଆପଣଙ୍କୁ ସମାନ ଖୁସି ଦେଇପାରେନାହିଁ କାହିଁକି ?
ସୁଖ ଏକ ଅନୁଭବ । ଯାହା ଆମ ଅନ୍ତରର ସର୍ବାଧିକ ଇପସିତ । ଅନ୍ୟ ଯେକୌଣସି ଅନୁଭବ ପରି ସୁଖର ସନ୍ଧାନ କରିବାକୁ ହେଲେ ସର୍ବପ୍ରଥମେ ଆମକୁ ଅର୍ନ୍ତମୁଖି ହେବାକୁ ପଡ଼ିବ । ନିଜ ଭିତରେ ସନ୍ତୁଷ୍ଟ ରହିପାରିଲେ ହିଁ ସେହି ଇପସିତ ଅନୁଭବକୁ ଆଉ ଖୋଜିବାକୁ ପଡ଼ିବ ନାହିଁ ବରଂ ସୁଖ ଆମ ଜୀବନର ବାହ୍ୟିକ ପରିଚୟ ବନିଯିବ । ସୁଖୀ ହେବା ଏକ ଚିନ୍ତାଧାରା ଓ ମନୋଭାବ ଯାହା ଅନ୍ୟମାନଙ୍କ ପ୍ରତି ଆମର ମନୋଭାବ ଦ୍ୱାରା ମଧ୍ୟ ପ୍ରଭାବିତ ।
ଚେତନା ସୃଷ୍ଟିକୁ ନିର୍ଣ୍ଣୟ କରେ । ଆମ ଭାବନା ହିଁ ଆମକୁ ସୁଖି କିମ୍ବା ଦୁଃଖି କରେ । ଯେଉଁ କାଳଖଣ୍ଡରେ ଆମେ ଜୀବନ ଧାରଣ କରନ୍ତି, ଆମ ଅଜାଣତରେ ସମୟର ପ୍ରତିଟି ପରିବର୍ତ୍ତନର ସୂଚନା ଆମ ଶରୀର ମନେ ରଖିପାରେ । ଆମର ସମସ୍ତ ଭାବନା ଜୀବନରେ ଯାହା ଘଟୁଛି ତାହା ସହିତ ଅନୁରୂପ ଅଟେ ।
Also Read: Yoga for Beginners at Home: ଯୋଗ ଆରମ୍ଭ କରିବା ପୂର୍ବରୁ ଜରୁରୀ ସତର୍କତା ଓ ସାବଧାନତା
ପ୍ରାପ୍ତିର ଗୁପ୍ତସୁତ୍ର
ପ୍ରକୃତ ସୁଖ ହାସଲ କରିବା ଏବଂ ପ୍ରକୃତରେ ସୁଖୀ ହେବା ପାଇଁ କେବଳ ଆଶାବାଦୀ ଚିନ୍ତାଧାରା ଗ୍ରହଣ କରିବା ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି । ଆମକୁ ସମସ୍ତ ନକାରାତ୍ମକ ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିବାର ଦୃଷ୍ଟିକୋଣକୁ ପ୍ରଥମେ ଆପଣାଇବାକୁ ପଡ଼ିବ।
ସମସ୍ତେ ସର୍ବଦା ସୁଖୀ ହେବାକୁ ଇଚ୍ଛା କରନ୍ତି ଓ ପ୍ରତି କ୍ଷଣରେ କିନ୍ତୁ ଏହା କରିବା ଏକ ଅସମ୍ଭବ କାର୍ଯ୍ୟ ପରି ଅନୁଭୂତ ହୋଇଥାଏ । ଯୋଗ ହେଉଛି ସେହି ସରଳ ଏବଂ ଅବିଶ୍ୱାସନୀୟ ଭାବରେ ଅତ୍ୟଧିକ ପ୍ରଭାବଶାଳୀ ଅଭ୍ୟାସ ମଧ୍ୟରୁ ଗୋଟିଏ, ଯାହାକୁ ଆପଣ ଗ୍ରହଣ କରିବା ପରେ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହେବା ନିଶ୍ଚିତ ।
ନିୟମିତ ଯୋଗାଭ୍ୟାସ ପରେ ଶରୀରରେ ଚତୁଃଉତ୍ସରୁ ଶକ୍ତି ଜାଗ୍ରତ ହୋଇଥାଏ । ଶରୀରରେ ପ୍ରସନ୍ନତାର ଆଭା ପରିଲକ୍ଷିତ ହେବା ସହ ଶରୀରରେ ପ୍ରତିଟି ଅଂଶରେ ଆନନ୍ଦ ବିରାଜମାନ କରେ । ସେହିପରି ମନରେ ଶାନ୍ତି ପ୍ରାପ୍ତି ଯୋଗୁ ଖୁସି ଭାବନା ବୃଦ୍ଧି ପାଇଥାଏ । କେବଳ ଶରୀର ଓ ମନ ନୁହେଁ, ଭାବନାରେ ମଧ୍ୟ ପ୍ରେମ ଓ କରୁଣା ଉଦ୍ରେକ ହୋଇଥାଏ । ଯାହା ପ୍ରଭାବରେ ଜୀବନୀ ଶକ୍ତି ଜାଗ୍ରତ ହୋଇଥାଏ । ଯାହାପରେ ଜୀବନରେ ସୁଖ ଓ ପରମାନନ୍ଦ ପ୍ରାପ୍ତ ହୋଇଥାଏ ।
Also Read: Confusion to Conclusion: କିପରି ଓ କେଉଁଠୁ ଆରମ୍ଭ କରିବେ ଯୋଗ? ପ୍ରଥମେ କଣ କରିବେ
©ପ୍ରକାଶ ରଂଜନ ପରିଡ଼ା