Vedic Wisdom: Concept of Nada Yoga, Omkara, and Bharat Culture| Yogashree

ବ୍ଦ ଉଚ୍ଚାରଣ କରିବା ପାଇଁ ଶରୀରର କେଉଁ ଅଙ୍ଗ କାର୍ଯ୍ୟ କରିଥାଏ ? ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଜଣାଅଛି ନିଶ୍ଚୟ  । ଜନ୍ମ ହେବାର ମାତ୍ର ବର୍ଷେ, ଦୁଇ ବର୍ଷ ମଧ୍ୟରେ ଜିଭ ସହାୟତାରେ ଆମେ ଶବ୍ଦ ଉଚ୍ଚାରଣ କରିବାରେ ସକ୍ଷମ ହୋଇପାରିଛନ୍ତି । କିନ୍ତୁ ବିନା ଜିଭ ସହାୟତାରେ ଆମେ ସମସ୍ତେ ଗୋଟିଏ ଅକ୍ଷରରେ ଗଢ଼ା ଶବ୍ଦ ଓଁ (ଅ-ଉ-ମ) ଉଚ୍ଚାରଣ କରିବାରେ ସକ୍ଷମ । 

ସୃଷ୍ଟିର ଆଦ୍ୟ ଝଙ୍କାର ଓଁକାର 

ଯାହାକୁ ବେଦରେ ସୃଷ୍ଟିର ଆଦ୍ୟ ଓଁକାର କୁହାଯାଇଛି । ଆଧୁନିକ ବିଜ୍ଞାନର ବିଗ୍ ବ୍ୟାଙ୍କ/ବ୍ଲାକହୋଲ୍ ଥିଓରୀରେ ଶବ୍ଦରୁ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିବା ଗ୍ରହଣ କରାଯାଇଛି । ଏପରିକି ଓଁକାରକୁ ଅନ୍ତରୀକ୍ଷର ନାଦ ଭାବେ ଆଜି ବିଜ୍ଞାନ ମଧ୍ୟ ସହମତି ପ୍ରକାଶ କରିବାକୁ ବାଧ୍ୟ ହୋଇଛି । 


ଦେବଭାଷା ଓ ସ୍ୱର୍ଣ୍ଣିମ ଭାରତବର୍ଷ


ବିନା ଜିଭର ପ୍ରୟୋଗରେ ଉଚ୍ଚାରିତ ଓଁକାର  ଧ୍ୱନି, ସମଗ୍ର ଶରୀରରେ ଝଙ୍କାର ବା ଭାଇବ୍ରେସନ ସୃଷ୍ଟି କରିଥାଏ । ଯେଉଁ ଶବ୍ଦ ତରଙ୍ଗ ବା ଭାଇବ୍ରେସନ ଶରୀରର ଅନେକ କୋଷିକାକୁ ପୂର୍ଣ୍ଣ ଜୀବନ୍ତ କରିଥାଏ । ଅନାଦି କାଳରୁ ଭାରତବର୍ଷର ମୁନୀ, ଋଷି ଓଁକାର ନାଦର ଫଳାଫଳ ଦର୍ଶାଇଛନ୍ତି । ଯୋଗ ଶାସ୍ତ୍ରରେ ଜୀବନର କୌଣସି ବି କ୍ରିୟା ଆରମ୍ଭ କରିବା ପୂର୍ବରୁ ଓଁକାର ନାଦ କରିବାକୁ ପରାମର୍ଶ ଦିଆଯାଇଛି । 


ଶବ୍ଦ ବ୍ରହ୍ମ ସଂଯୋଗ


ବେଦ ବାକ୍ୟ ଅନୁସାରେ ଶବ୍ଦରୁ ହିଁ ସୃଷ୍ଟି, ଶବ୍ଦରୁ ହିଁ ବିନାଶ । ସୃଷ୍ଟି ଓ ବିନାଶକୁ ସଂଯୋଗ କରୁଥିବା ନାଦକୁ କୁହାଯାଏ 'ଯୋଗ ନାଦ' । ସଂସ୍କୃତ ଶବ୍ଦର ଉଚ୍ଚାରଣ ସମୟରେ ଶରୀରରେ ଭାଇବ୍ରେସନ ବା ତରଙ୍ଗ ସୃଷ୍ଟି ହେଉଥିବାରୁ ଏହାକୁ ସଂଗୀତରେ ଯୋଗ କରାଯାଇ ମାନବ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ ପ୍ରାଚୀନ ଭାରତୀୟ ମନୀଷୀ ।  ନିର୍ଦ୍ଦିଷ୍ଟ ସଂସ୍କୃତ ଶବ୍ଦ ନାଦ ଶରୀରର ନିର୍ଦ୍ଦିଷ୍ଟ ଅଂଶକୁ ଉନ୍ମୁଖ କରିଥାଏ । ଶବ୍ଦ ତରଙ୍ଗ ମାଧ୍ୟମରେ ଅନ୍ତ ଶକ୍ତିକୁ ଜାଗ୍ରତ କରିବାର ସାମର୍ଥ୍ୟ ଥିବା ପଂକ୍ତି ବା ଶ୍ଳୋକକୁ ସଂସ୍କୃତରେ ମନ୍ତ୍ର ଭାବରେ ଅଭିହିତ କରାଯାଇଛି । ମନ୍ତ୍ରର କୌଣସି ଅର୍ଥ ବ୍ୟାଖ୍ୟା କରାଯାଇନଥାଏ, କାରଣ ମନ୍ତ୍ର ସୃଷ୍ଟିର ଉଦ୍ଦେଶ୍ୟ ମାନବ ଶରୀରରେ ଶବ୍ଦ ତରଙ୍ଗ ମାଧ୍ୟମରେ ନିର୍ଦ୍ଦିଷ୍ଟ ଶକ୍ତିକୁ ଜାଗ୍ରତ କରିବା । 


ଏହି କାରଣରୁ ଭାରତୀୟ ସଭ୍ୟତାରେ ଦେବା, ଦେବୀ, କୌଣସି ସ୍ଥାନର ନାମ, ଏପରିକି ଅଧିକାଂଶ ବ୍ୟକ୍ତିଙ୍କ ନାମ ସଂସ୍କୃତ ଶବ୍ଦ ରଖାଯାଇଥାଏ । ଭାରତ- ଏହା କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ମଧ୍ୟ ଗୋଟିଏ ମନ୍ତ୍ର ।  ବେଦରେ ଶବ୍ଦ ଓ ଶକ୍ତିର ସଂଯୋଗକୁ ପ୍ରାଞ୍ଜଳ ଭାବେ ଦର୍ଶାଯାଇଛି । 'ଶୂନ୍ୟତାରୁ ସୃଷ୍ଟି' ଓ 'ସୃଷ୍ଟିରୁ ଶୂନ୍ୟତା' ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ 'ଶବ୍ଦ'କୁ ହିଁ 'ଯୋଗ' କରାଯାଇଛି । 


Union Through Sound | Yogashree

Also Read: Sun Salutation: ସୂର୍ଯ୍ୟ ନମସ୍କାରର ସଠିକ୍ ବିଧି, ଯୋଗାସନ ଓ ମନ୍ତ୍ର


ମନ୍ତ୍ର କେବଳ ସଂସ୍କୃତ ଭାଷାରେ କାହିଁକି?


ଦେବଭାଷା ସଂସ୍କୃତରେ ରହିଥିବା ମୋଟ ୫୪ଟି ଅକ୍ଷର ୫୪ଟି ଶବ୍ଦ ସୃଷ୍ଟି କରିଥାଏ । ମନ୍ତ୍ରରେ ନିର୍ଦ୍ଦିଷ୍ଟ ଶବ୍ଦ ସହିତ ନିର୍ଦ୍ଦିଷ୍ଟ ଶବ୍ଦର ସଂଯୋଗ ହେବା ପରେ  ଶବ୍ଦ ବ୍ରହ୍ମ ପାଲଟିଯାଇଥାଏ । ଯାହାର ଉଚ୍ଚାରଣ ଓ ଶ୍ରବଣରେ ଶରୀର ଓ ମନର ନିର୍ଦ୍ଦିଷ୍ଟ ଅଂଶ ସକ୍ରିୟ ହୋଇଥାଏ । ସମ୍ପୂର୍ଣ୍ଣ ମାନବ ଶରୀରରେ ୧୦୮ 'ଯୋଗଚକ୍ର' ସୁପ୍ତ ଅବସ୍ଥାରେ ରହିଥାଏ । ଶରୀରରେ ଦକ୍ଷିଣ ପାର୍ଶ୍ୱ (ପିଙ୍ଗଳା ବା ସୂର୍ଯ୍ୟ ପାର୍ଶ୍ୱ)ରେ ୫୪ ଯୋଗଚକ୍ର ଓ ଶରୀରର ବାମ ପାର୍ଶ୍ୱ(ଇଡା ବା ଚନ୍ଦ୍ର ପାର୍ଶ୍ୱ)ରେ ୫୪ ଯୋଗଚକ୍ରର ଉପସ୍ଥିତି ରହିଥାଏ । ଗ୍ରହ ଓ ଚନ୍ଦ୍ର ଚଳନ ଅନୁସାରେ ପ୍ରତି ୪୮ ମିନିଟ ବ୍ୟବଧାନରେ ଶରୀରରେ 'ପିଙ୍ଗଳା' କିମ୍ବା 'ଇଡା' ସକ୍ରିୟ ହୋଇଥାଏ । ନାସିକାର ଦୁଇ ପୁଡ଼ାରେ ଶ୍ୱାସକ୍ରିୟା ଚଳନରୁ କେଉଁ ପାର୍ଶ୍ୱ ସକ୍ରିୟ ରହିଛି , ଆମେ ଖୁବ ସହଜରେ ଜାଣିପାରିବା । ଦୁଇ ନାକ ପୁଡ଼ାରୁ ଗୋଟିଏ ପାର୍ଶ୍ୱରେ ଦୃତ ଓ ଅନ୍ୟ ପାର୍ଶ୍ୱରେ ମନ୍ଥର ଗତିରେ ଶ୍ୱାସକ୍ରିୟା ସଂଚାଳିତ ହେଉଥାଏ । ପିଙ୍ଗଳା ସକ୍ରିୟ ଥିବା ସମୟରେ ଶରୀର ଉଷ୍ଣ ଓ ଇଡା ସକ୍ରିୟ ଥିବାବେଳେ ଶରୀର ଶୀତଳ ରହିଥାଏ । ଆଦିଯୋଗୀ ମହାଦେବଙ୍କ ଅର୍ଦ୍ଧନାରୀଶ୍ୱର ରୂପ ଏହାର ସାଙ୍କେତିକ ଭାବ ବହନ କରିଥାଏ । ଶରୀର ଭେଦରେ ଉଚିତ ସମୟରେ ମନ୍ତ୍ର ଉଚ୍ଚାରଣ ଶରୀରରେ ସୁପ୍ତ ଶକ୍ତି କେନ୍ଦ୍ରକୁ ଜାଗ୍ରତ କରିଥାଏ । 


ଅଦ୍ୟାବଧି ସନାତନ ପରମ୍ପରାରେ ଦେଶର ଯେକୌଣସି ସ୍ଥାନରେ ଥିବା ମନ୍ଦିର, ଦେବାଦେବୀ ପୀଠରେ ପୂଜକ, ପୁରୋହିତ, ପଣ୍ଡିତ କେବଳ ସଂସ୍କୃତରେ ହିଁ ମନ୍ତ୍ରପାଠ କରିଥାନ୍ତି । ଅନ୍ୟ କୌଣସି ବି ଭାଷାରେ ଭଜନ, ସଂକୀର୍ତ୍ତନ, ସ୍ତୁତିଗାନ କରାଯାଇପାରେ, କିନ୍ତୁ ମନ୍ତ୍ର ଗଠନ ଅସମ୍ଭବ ।  


ଯଦିଓ ବର୍ତ୍ତମାନ ସମୟରେ 'ଓଁକାର'କୁ 'ହିନ୍ଦୁ' ଧର୍ମ ସହିତ ଯୋଡ଼ାଯାଇ ଏକ 'ଧାର୍ମିକ ଶବ୍ଦ' ଭାବରେ ଚିତ୍ରଣ କରାଯାଉଛି, କିନ୍ତୁ ବେଦରେ 'ଓଁକାର ମନ୍ତ୍ର'କୁ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଅଭିପ୍ରେତ ଦର୍ଶାଯାଇଛି । ଯଦିଓ ବୈଦିକ ସଂସ୍କୃତିରେ 'ହିନ୍ଦୁ' ଶବ୍ଦ ସହିତ 'ଧର୍ମ'ର କୌଣସି ସଂଯୋଗ ହିଁ ନଥିଲା । ଏହା କେବଳ ଏକ ଭୌଗଳିକ ପରିଚିତି ଥିଲା । ବିଦେଶୀଙ୍କ ଚକ୍ରାନ୍ତରେ ବୈଦିକ ଭାରତର ଦର୍ଶନକୁ ଭୁଲ ଅର୍ଥରେ ବିଚାର କରାଯାଇଛି ।  ସନାତନ ସଂସ୍କୃତିରେ 'ବସୁଧୈବ କୁଟୁମ୍ବକମ'ଥିଲା  ମାନବ ସମାଜ ପାଇଁ ବାର୍ତ୍ତା । ବେଦ ମାର୍ଗଦର୍ଶନରେ ପ୍ରାଚୀନ ଭାରତୀୟ ସମାଜ 'ଧର୍ମ ପ୍ରଚାର' ବଦଳରେ ସୁସଂହତ 'ଜୀବନ ଧାରା'ର ପ୍ରଚାର କରିଥିଲା ।  ଯାହାର ପରିଣାମ ସ୍ୱରୂପ ଭାରତବର୍ଷକୁ ସ୍ୱର୍ଣ୍ଣିମ ଭୂଖଣ୍ଡର ପରିଚିତି ମିଳିଥିଲା । 


Also Read: Yoga for Beginners: ଯୋଗ ଆରମ୍ଭ ଓ ଶେଷ କରିବାବେଳେ କରନ୍ତୁ ଏହି ଯୋଗ ପ୍ରାର୍ଥନା 


ବେଦରେ କୌଣସି ଧାର୍ମିକ ଆଚାର ସଂହିତାର ବର୍ଣ୍ଣନା ନାହିଁ । ନୀତି, ନିୟମ ପ୍ରଣିତ ହୋଇନାହିଁ । ବରଂ ଏଥିରେ ମାନବ  ଜୀବନ ଧାରାକୁ ସୁଂସହତ କରିବା ପାଇଁ ବିଜ୍ଞାନ, ଗଣିତ ପରି ବିଷୟର ନିଷ୍କର୍ଷକୁ ସ୍ଥାନିତ କରାଯାଇଛି । ଭାରତୀୟ ଦର୍ଶନ-ଧାର୍ମିକ ବିଶ୍ୱାସ ବଦଳରେ ବିଜ୍ଞାନ ଆଧାରିତ ଥିଲା- ଏହି ବାକ୍ୟକୁ ବିଦେଶୀମାନେ ଆଜି ବି ଗ୍ରହଣ କରିବାକୁ କୁଣ୍ଠିତ । 


ଆଧୁନିକ ବିଜ୍ଞାନ ମଧ୍ୟ ସଂସ୍କୃତ ଭାଷାକୁ ବିଜ୍ଞାନ ସମ୍ମତ ଭାଷା ଭାବେ ଗ୍ରହଣ କରିଛି । ଏହାର କାରଣ ସ୍ଥାନ ଭେଦରେ ସଂସ୍କୃତ ଶବ୍ଦର ଉଚ୍ଚାରଣରେ ଭିନ୍ନତା ପରିଲକ୍ଷିତ ହୋଇନଥାଏ । ପୃଥିବୀରେ ଭିନ୍ନ ଭିନ୍ନ ଭୌଗଳିକ ସ୍ଥାନର ବ୍ୟକ୍ତି ଯଦି ସଂସ୍କୃତ ଶବ୍ଦ ବା ବାକ୍ୟ ଉଚ୍ଚାରଣ କରନ୍ତି, ତେବେ ପ୍ରତି ସ୍ଥାନରେ ଉଚ୍ଚାରଣ ଅଭିନ୍ନ ବା ସମାନ ରହିଥାଏ । କିନ୍ତୁ ପୃଥିବୀରେ ଅନ୍ୟ କୌଣସି ଭାଷାରେ ଏପରି ସଂଯମତା ନାହିଁ । 


ଉଦାହରଣ ସ୍ୱରୂପ ଓଡ଼ିଆ ଗୋଟିଏ ଭାଷା ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାବାସୀଙ୍କ ଭାଷା ଉଚ୍ଚାରଣ ଭିନ୍ନ ହୋଇଥାଏ । ସେହିପରି ଭାରତରେ କୌଣସି ଦୁଇଟି ରାଜ୍ୟର ଲୋକ ଇଂରାଜୀ କହିବାବେଳେ, ଇଂରାଜୀ ଭାଷା ସହିତ ସେମାନଙ୍କ ମାତୃଭାଷାର ଉଚ୍ଚାରଣ ମିଶ୍ରଣ ହେଉଥିବା ପ୍ରକାଶ ପାଇଥାଏ । 


ନାଦ ଯୋଗ 


ଧ୍ୱନି ବା ଶବ୍ଦ ତରଙ୍ଗ ସୃଷ୍ଟି ଗୁଣବତ୍ତା ଆଦିଭାଷା ସଂସ୍କୃତର ଗୌରବ । ଶବ୍ଦ ଉଚ୍ଚାରଣ ଓ ଶବ୍ଦ ଶ୍ରବଣକୁ ନେଇ ଆଧୁନିକ ଚିକିତ୍ସା ବିଜ୍ଞାନରେ ଅନେକ ଗବେଷଣା ହୋଇଛି। ଏପରିକି ଆଧୁନିକ ଚିକିତ୍ସା ବିଜ୍ଞାନରେ ମଧ୍ୟ Sound Healing Treatment ପଦ୍ଧତିରେ ରୋଗୀ ଚିକିତ୍ସା କରାଯାଉଛି। ଶରୀର ଉପରେ ଶବ୍ଦ ତରଙ୍ଗର ପ୍ରଭାବକୁ ନେଇ ପ୍ରାଚୀନ ଭାରତୀୟ ସମାଜରେ ମୁନୀ,ଋଷିମାନେ ନାଦ ଯୋଗର ଭିତ୍ତି ସ୍ଥାପନା କରିଥିଲେ ।


Also Read: ଏହି ସୂର୍ଯ୍ୟ ସହସ୍ତ୍ରାଂଶୋ ।। ସୂର୍ଯ୍ୟ ଅର୍ଘ୍ୟ ମନ୍ତ୍ର ।। Ehi Surya Sahastransho Shlok in Odia


ନାଦ ଯୋଗର ଲାଭ 


ନାଦର ଅର୍ଥ ଶବ୍ଦ ତରଙ୍ଗ । କେବଳ ଶବ୍ଦ ମାଧ୍ୟମରେ ଶରୀରରେ ବିଦ୍ୟମାନ ସମସ୍ତ ୧୦୮ ଯୋଗଚକ୍ରକୁ ଉନ୍ମୁଖ କରିବାକୁ ୧୦୮ ନାଦ ଯୋଗର ପଦ୍ଧତିକୁ ପ୍ରୟୋଗ କରାଯାଏ । ଶବ୍ଦ ତରଙ୍ଗ ମାଧ୍ୟମରେ ଶରୀରରେ ସୁପ୍ତ ଗ୍ରନ୍ଥିର ଉନ୍ମୋଚନ ଓ ଶକ୍ତି କେନ୍ଦ୍ରକୁ କ୍ରିୟାଶୀଳ କରାଯାଇଥାଏ । ଅତ୍ୟନ୍ତ ତୀକ୍ଷ୍ମଭାବେ ପ୍ରତି ଶବ୍ଦ ତରଙ୍ଗର ଅଧ୍ୟୟନ ଓ ଏହାର ପ୍ରଭାବକୁ  ପ୍ରାଚୀନ ଭାରତୀୟ ମୁନୀ, ଋଷିମାନେ ବିଶ୍ଳେଷଣ କରି ସାଂସ୍କୃତିକ ସଂଗୀତ ( Clasical Music)ର ସୃଷ୍ଟି କରିଥିଲେ ।


ନାଦ ଯୋଗ କେତେ ପ୍ରକାର?

 

  1. ଆହତ
  2. ଅନାହତ


ନାଦ ୨ ଭାଗରେ ବିଭକ୍ତ । ବାହ୍ୟ ଶବ୍ଦକୁ 'ଆହତ' ଓ ଅନ୍ତଃ ଶବ୍ଦକୁ 'ଅନାହତ' କୁହାଯାଏ । 'ଆହତ ନାଦ' ଶରୀର ଓ ମନ ଦ୍ୱାରା ଅନୁଭବ କରାଯାଉଥିବାବେଳେ 'ଅନାହତ ନାଦ' ବା 'ଶୂନ୍ୟ ନାଦ' କେବଳ 'ଅନାହତ ଚକ୍ର' ବା ହୃଦୟ ଦ୍ୱାରା ଅନୁଭୂତ ହୋଇଥାଏ ।

©ପ୍ରକାଶ ରଂଜନ ପରିଡ଼ା


Also Read: Science-Based Benefits of Yoga: ପରିବର୍ତ୍ତନ ନୁହେଁ, ମନ ଓ ଶରୀରର ପୁନଃ ନିର୍ମାଣ କରେ ଯୋଗ