ଯୋଗର ଅର୍ଥ ବୁଝିବାକୁ କୌଣସି ଅଭିଧାନ ଲୋଡ଼ା ନାହିଁ, କାରଣ ଏହାର ନାମ ହିଁ ଏହାର ଅର୍ଥ । ଭାରତରେ ପ୍ରାୟ ୫,୦୦୦ ବର୍ଷ ପୂର୍ବରୁ ଯୋଗକୁ ସାମାଜିକ, ସାସ୍କୃତିକ, ବୈଜ୍ଞାନିକ ସ୍ୱୀକୃତି ମିଳିସାରିଥିଲା । ରାଷ୍ଟ୍ର ଭାଗ୍ୟ ବିଡ଼ମ୍ବନା କାରଣରୁ ଏହି ପ୍ରମାଣ ସିଦ୍ଧ ପଦ୍ଧତି ଭାରତ ମାଟିରୁ ପ୍ରାୟତଃ ନିଶ୍ଚିନ୍ନ ହୋଇଯାଇଥିଲା ।
ବୈଜ୍ଞାନିକ ପଦ୍ଧତିରେ ଯୋଗାସନର ବିଶ୍ଳେଷଣ
କିନ୍ତୁ ସମୟର ପରିବର୍ତ୍ତନ ସହିତ ଯୋଗକୁ ବିଶ୍ୱରେ ସ୍ୱୀକୃତି ମିଳିଲା । ପ୍ରାଚୀନ ପଦ୍ଧତି ଆଧୁନିକ ସମୟ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେଲା । ଯଦିଓ ଏବେ ଯୋଗର ମୂଳ ରୂପରେଖ ଅନେକ ଭାବରେ ପରିବର୍ତ୍ତିତ ହୋଇଛି । ଭାରତର ଭୌଗଳିକ ସୀମା ବାହାରେ ଯୋଗର ଅନୁଧ୍ୟାନ ପରେ ଶୂନ୍ୟ(Zero) ଆବିଷ୍କାର ପରି ଯୋଗକୁ ମଧ୍ୟ ଭାରତର ବରଦାନ ଭାବେ ଗ୍ରହଣ କରିନେଇଛନ୍ତି ବିଦେଶୀ ।
ସଂସ୍କୃତ ଶବ୍ଦ ଯୋଗ, ମହର୍ଷି ପତଞ୍ଜଳିଙ୍କ ଯୋଗସୁତ୍ରକୁ ସଠିକ୍ ଭାବରେ ବୁଝିନପାରି ଯୋଗର ଏକ ଅଂଶ (ଯୋଗାସନ)କୁ ପ୍ରଚାର କରାଯାଉଛି । କେବଳ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଯୋଗର ଉପଯୋଗିତାକୁ ଗ୍ରହଣ କରାଯାଇଛି । ବିଭିନ୍ନ ଯୋଗ ଆସନ ଅଭ୍ୟାସ କରିବା ପରେ ଅଭ୍ୟାସକାରୀଙ୍କ ଶାରୀରିକ ପରିବର୍ତ୍ତନକୁ ନିରୀକ୍ଷଣ କରାଯିବା ସହ ବୈଜ୍ଞାନିକ ପଦ୍ଧତିରେ ଅଭ୍ୟାସକାରୀଙ୍କ ପୂର୍ବ ଓ ପରବର୍ତ୍ତୀ ସ୍ଥିତିକୁ ମଧ୍ୟ ବିଶ୍ଳେଷଣ କରାଯାଉଛି । ପ୍ରାୟ ୧୮୦୦ ଖ୍ରୀଷ୍ଟାବ୍ଦରେ ଆମେରିକାରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବା ପରେ ଧୀରେଧୀରେ ଏହାର କାୟା ବିସ୍ତାର ହୋଇଛି ।
ମାନବ ଶରୀର ଓ ମନର ପୂର୍ଣ୍ଣାଙ୍ଗ ବିକାଶ
କେବଳ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ମାଧ୍ୟମ ଉପଲବ୍ଧ ଥିବା ସତ୍ତ୍ୱେ ଯୋଗକୁ ବିଶ୍ୱବ୍ୟାପୀ ଆଦର ମିଳିଛି । ଏହା ଭାରତ ପାଇଁ ବେଶ୍ ଗୌରବ ନିଶ୍ଚୟ । କିନ୍ତୁ ଅପର ପାର୍ଶ୍ୱରେ ଭାରତର ବୈଦିକ ପରମ୍ପରାକୁ ଅଣଦେଖା କରାଯାଇଛି ନିଶ୍ଚୟ । ମାନବ ଶରୀର ଓ ମନର ପୂର୍ଣ୍ଣାଙ୍ଗ ବିକାଶ ଏବଂ ମୁକ୍ତିର ମାର୍ଗ ଦେଖାଉଥିବା ଯୋଗର ପରିସରକୁ ସୀମାବଦ୍ଧ କରିବାର କୁପରିଣାମ ମଧ୍ୟ ଏବେ ବିଶ୍ୱରେ ଦୃଶ୍ୟମାନ ହେଉଛି ।
ଯୋଗ ଏକ ଆଧ୍ୟାତ୍ମିକ ସାଧନା
ବାସ୍ତବରେ 'ଯୋଗ', ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ସାଧନା ଅଟେ । ୪ ଭାଗରେ ବିଭକ୍ତ 'ରାଜ ଯୋଗ'ର ଏକ ଅଂଶ ଯୋଗସୁତ୍ର । ଯେଉଁଥିରେ ମାନବ ଶରୀର ଓ ମନର ବିକାଶ ପାଇଁ 'ଅଷ୍ଟାଙ୍ଗ ଯୋଗ' ମାର୍ଗର ବର୍ଣ୍ଣନା ରହିଛି । 'ପଞ୍ଚଭୂତ' (ପୃଥିବୀ, ଜଳ, ବାୟୁ, ଅଗ୍ନି ଓ ଆକାଶ)ରୁ ସୃଷ୍ଟି 'ପଞ୍ଚକୋଷ' (ଅନ୍ନମୟ କୋଷ, ମନୋମୟ କୋଷ, ପ୍ରାଣମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ)ଶରୀରର ସମ୍ପୂର୍ଣ୍ଣ ବିକାଶ ଯୋଗର ମୁଖ୍ୟ ଉଦ୍ଦେଶ୍ୟ । ଶରୀରରେ ବିଦ୍ୟମାନ 'ସପ୍ତଚକ୍ର'କୁ କ୍ରିୟାଶୀଳ କରିବା ପାଇଁ ଯୋଗସୁତ୍ରରେ ପ୍ରାଞ୍ଜଳ ଭାବେ ମାର୍ଗ ଦର୍ଶନ କରାଯାଇଛି। ଅଷ୍ଟାଙ୍ଗ ଯୋଗର ସର୍ବ ପ୍ରଥମ ପର୍ଯ୍ୟାୟରେ ବାହ୍ୟ ଅନୁଶାସନ ବା ସଂଯମ (ଯମ)କୁ ଦର୍ଶାଯାଇଛି। ଏହି ପର୍ଯ୍ୟାୟରେ ଶାରୀରିକ କ୍ରିୟା ଗୁଡିକୁ ସଚେତନ ଭାବରେ କରିବା ପାଇଁ ନିର୍ଦ୍ଦେଶ ରହିଛି । ଯେଉଁ ପର୍ଯ୍ୟାୟକୁ ଆଧୁନିକ ସଭ୍ୟ ଶିକ୍ଷିତ ସମାଜ ଅଣଦେଖା କରି ସମସ୍ୟାକୁ ଆମନ୍ତ୍ରଣ କରୁଛି ।
- କିପରି ବସିବା ଉଚିତ୍ - How to Sit?
- କିପରି ଶ୍ୱାସ ଗ୍ରହଣ ଓ ତ୍ୟାଗ କରାଯିବା ଉଚିତ୍ - How to Breath?
- କିପରି ଖାଦ୍ୟ ଗ୍ରହଣ କରିବା ଉଚିତ - How to Eat?
- କିପରି ଶୟନ କରିବା ଉଚିତ - How to Sleep?
Also Read: Scientific Benefits of Yoga: ଯୋଗ ଦୂର କରେ ରୋଗ
ଜୀବନକୁ ସୁଲଳିତ କରିବାର ମାଧ୍ୟମ 'ଯୋଗ'
ଆଧୁନିକ ଚିକିତ୍ସା ବିଜ୍ଞାନ ମଧ୍ୟ ସୁତ୍ରକୁ ଗ୍ରହଣ କରୁଛି । ଏହି ସାଧାରଣ କ୍ରିୟା ହିଁ ଶରୀରକୁ ସନ୍ତୁଳିତ କରିଥାଏ । ଅତ୍ୟନ୍ତ ସାଧାରଣ ଏହି ଶାରୀରିକ କ୍ରିୟା ଗୁଡିକୁ ସଚେତନତାର ସହ ସମ୍ପାଦିତ ନକରିବା ଫଳରେ ଶରୀର ରୋଗର ଶିକାର ହେଉଛି । ଆୟୁର୍ବେଦ ଅନୁସାରେ ଏହି ସାଧାରଣ କ୍ରିୟା ଗୁଡିକୁ ଅସଚେତନତା ଭାବେ ସମ୍ପାଦିକ କରାଗଲେ, ସମ୍ପୂର୍ଣ୍ଣ ଶରୀରରେ ବିଚ୍ଛୁରିତ ୭୨,୦୦୦ ନାଡ଼ି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥାଏ । ଶରୀରରେ ପିଙ୍ଗଳା ବା ସୂର୍ଯ୍ୟ ପାର୍ଶ୍ୱ (ଦକ୍ଷିଣ) ଓ ଚନ୍ଦ୍ର ପାର୍ଶ୍ୱ ବା ଇଡା ( ବାମ) ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଯୋଗ ସାଧନାରେ ସର୍ବପ୍ରଥମ ପର୍ଯ୍ୟାୟରେ ବାହ୍ୟ ଅନୁଶାସନ ବା ସଂଯମ (ଯମ) ରଖାଯାଇଛି। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତଃ ଅନୁଶାସନ ବା ସୁଦ୍ଧତା( ନିୟମ) ପାଳନ ପାଇଁ ନିର୍ଦ୍ଦେଶ ରହିଛି ।
- ସଠିକ୍ ଖାଦ୍ୟ - Right Food
- ସଠିକ୍ ବିଚାର - Right Thought
- ସଠିକ୍ କର୍ମ - Right Action
- ସଠିକ୍ ଭାବ - Right Emotion
ନିଜ ବୁଦ୍ଧି ହିଁ ନିଜ ବିରୁଦ୍ଧାଚରଣ କରୁଛି କାହିଁକି? Why Did Your Intelligence Turn against You?
ଆଧୁନିକ ଚିକିତ୍ସା ବିଜ୍ଞାନରେ ମଧ୍ୟ ସୁସ୍ଥ ରହିବା ପାଇଁ ସଠିକ୍ ଖାଦ୍ୟ, ବିଚାର, କର୍ମ ଓ ଭାବକୁ ସୁତ୍ର ଭାବେ ଗ୍ରହଣ କରାଯାଉଛି । ଶରୀର ଓ ମନ ମଧ୍ୟରେ ଉପଯୁକ୍ତ ସଂଯୋଗ ଓ ସନ୍ତୁଳନ ପାଇଁ ସୁଷମ ଖାଦ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଉପଯୁକ୍ତ ବିଚାର ଓ ଭାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏଥିରେ ଅସନ୍ତୁଳନ କାରଣରୁ ବର୍ତ୍ତମାନ ସମାଜରେ ସାଇକୋସୋମାଟିକ (psychosomatic) ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମସ୍ତିଷ୍କର ଯେଉଁ ବୁଦ୍ଧିମତ୍ତା ମାନବକୁ ବିବର୍ତ୍ତନର ଶିଖରରେ ପହଞ୍ଚାଇଛି, ଏବେ ସେହି ବୁଦ୍ଧି( intelligence) ହିଁ ମଣିଷ ପାଇଁ ପରମ ଶତ୍ରୁ ବା ସମସ୍ୟା ପାଲଟି ଯାଉଛି ।
ବର୍ତ୍ତମାନ ସମୟର ମଣିଷ ବସ୍ତୁବାଦୀ ଚିନ୍ତାଧାରା ନେଇ (ବିଦେଶୀ ସଂସ୍କୃତି) ସୁସ୍ଥ ଶରୀର ଓ ପ୍ରଫୁଲ୍ଲ ମନ ପ୍ରାପ୍ତି ପାଇଁ ପ୍ରୟାସ କରି ବିଫଳ ହେଉଛି । ଜୀବନକୁ ସୁନ୍ଦର କରିବାକୁ ଗ୍ରହଣ କରିଥିବା ମାଧ୍ୟମ ଗୁଡ଼ିକର ନାଗ ଫାସରେ ନିଜେ ବନ୍ଦୀ ହୋଇ ବଞ୍ଚିବାକୁ ଆର୍ତ୍ତ ଚିତ୍କାର କରୁଛି । ଯାହାପରେ ବିଭିନ୍ନ ଶାରୀରିକ ଓ ମାନସିକ ରୋଗର ତାଡ଼ନାରେ ଅବଶିଷ୍ଟ ଜୀବନକୁ ବିତାଉଛି । ଆହାର, ଆଚାର, ଆଚ୍ଚରଣରେ ସୁଦ୍ଧତା ରହୁନଥିବାରୁ ମଣିଷ ଭିତରେ ମାନବିକତା ବଦଳରେ ହିଂସ୍ରତା ପ୍ରକାଶ ପାଉଛି ।
ମନ ଓ ଶରୀରର ପୁନର୍ନିର୍ମାଣ କରେ 'ଯୋଗ'
ଯୋଗମାର୍ଗ ଅନୁସରଣର ଲକ୍ଷ୍ୟ ଜୀବନରେ ପରିବର୍ତ୍ତନ ନୁହେଁ ବରଂ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ପୁନର୍ନିମାଣ । ଯୋଗ ସାଧନା କରିବା ପରେ ଯେକୌଣସି ବ୍ୟକ୍ତିଙ୍କ ମଧ୍ୟରେ ନୂତନତ୍ୱର ଆଭାସ ମିଳିବା ସ୍ୱାଭାବିକ । ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ମଣିଷର ଅନ୍ତରକୁ ସତ୍ୟ ଚେତନା ଆଡକୁ ଉନ୍ମୁଖ କରିଥାଏ । ଯାହା ଶରୀରରେ ଆଭା, ମୁଖରେ ପ୍ରସନ୍ନତା ରୂପରେ ପ୍ରକାଶ ପାଇଥାଏ । ବିଜ୍ଞାନ ଅନୁସାରେ ପ୍ରାୟ ୧୦ରୁ ୧୨ ବର୍ଷ ମଧ୍ୟରେ ଶରୀରର ସମସ୍ତ କୋଷର ପୁନର୍ନିମାଣ(cell division) ହୋଇଥାଏ । ଅର୍ଥାତ ୧୦ ବର୍ଷ ପୂର୍ବରୁ ଯାହାକୁ ଆମେ ନିଜ ଶରୀର ବୋଲି କହିଥାନ୍ତି, ୧୦ ବର୍ଷ ପରେ ସେହି ଶରୀରରେ ଗୋଟିଏ ବି କୋଷ ଉପସ୍ଥିତ ନଥାଏ । ପ୍ରତି ମୁହୂର୍ତ୍ତରେ ଆମ ଶରୀରରୁ କୋଷ କଣିକାର ବିଲୟ ଓ ସୃଷ୍ଟି କ୍ରିୟା ଲାଗି ରହିଛି । ଯୋଗକ୍ରିୟା ଏହି ଗତିକୁ ତୀବ୍ରତର କରିଥାଏ । ପ୍ରତି କୋଷକୁ ପୂର୍ଣ୍ଣ ଆକାର ପ୍ରାପ୍ତ ହୋଇପାରେ ।
ବିନା ଆଧ୍ୟାତ୍ମିକ ଉପଲବ୍ଧିରେ ଯୋଗ ସାଧନା ଅସମ୍ଭବ
ଯୋଗ ସହିତ ଆଧ୍ୟାତ୍ମିକତାର ନିବିଡ଼ ସମ୍ବନ୍ଧ ରହିଛି। ବିନା ଆଧ୍ୟାତ୍ମିକ ଉପଲବ୍ଧିରେ ଯୋଗ ସାଧନା ଅସମ୍ଭବ । ବୈଦିକ ଶାସ୍ତ୍ରରେ ଯୋଗର ଉପାଦେୟତା ବିଷୟରେ ସମ୍ପୂର୍ଣ୍ଣ ବର୍ଣ୍ଣନା ରହିଛି । ଏପରିକି ଆଦ୍ୟ ବେଦ ଋକ୍ ବେଦ (Rig Veda)ରେ ମଧ୍ୟ ଯୋଗ ଶବ୍ଦର ଉଲ୍ଲେଖ ରହିଛି । ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ଜନ୍ମ ପୂର୍ବରୁ ବେଦ, ଶୂନ୍ୟ ସଂହିତା, ପୁରାଣରେ ଶୂନ୍ୟର ପ୍ରୟୋଗ ହୋଇଛି । ଏପରିକି ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ କୁଣ୍ଡଳୀରେ ମଧ୍ୟ ଶୂନ୍ୟର ପ୍ରୟୋଗ ହୋଇଛି। କିନ୍ତୁ ପଞ୍ଚଦଶ ଶତାବ୍ଦୀରେ ହିଁ ଶୂନ୍ୟ (Zero)ର ଆବିଷ୍କାର ହୋଇଥିବା ବିଦେଶୀ ପ୍ରଚାର କରିଥିଲେ । କେବଳ ଜଣେ ଭାରତୀୟ ଜ୍ୟୋତିଷ ଓ ଗଣିତ ବିଷାରଦଙ୍କ ନାମ ଯୋଡି ଦିଆଯାଇଥିବାରୁ ଭାରତୀୟମାନେ ମଧ୍ୟ ଏହାର ବିରୋଧ କରିପାରିନଥିଲେ । ପ୍ରାଚୀନ କାଳରୁ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର, ସୂର୍ଯ୍ୟଙ୍କ ନିର୍ଭୁଲ ଗତି ଗଣନା (ପାଞ୍ଜି), ଧାର୍ମିକ କାର୍ଯ୍ୟରେ ପୂଜକଙ୍କ ଦ୍ୱାରା ନବଗ୍ରହ ମନ୍ତ୍ର ଉଚ୍ଚାରଣ ହେଉଥିଲେ ବି ୧୬୦୦ ଶ୍ରୀଷ୍ଟାବ୍ଦ ଯାଏ ବିଶ୍ୱର କୌଣସି ବୈଜ୍ଞାନିକ ନବଗ୍ରହର ସନ୍ଧାନ ପାଇନଥିଲେ ।
ସେହିପରି 'ଯୋଗ' ଭାରତୀୟ ଆଧ୍ୟାତ୍ମିକ ଶାସ୍ତ୍ରର ଅଂଶବିଶେଷ, ଏହାକୁ ମଧ୍ୟ ଗ୍ରହଣ କରିପାରିନଥିଲେ ବିଦେଶୀ । ଏପରିକି ଭାରତର ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ବିଦେଶୀ, ଭାରତୀୟ ପାଠ୍ୟସୁସ୍ତକରେ ଏପରି ଅନେକ ଅର୍ଦ୍ଧ ସତ୍ୟ, ଖଣ୍ଡିତ ତଥ୍ୟକୁ ସ୍ଥାନିତ କରିଥିଲେ । ଭାରତୀୟ ସ୍ୱାଭିମାନକୁ ପଦଦଳିତ କରି, ବୈଦିକ ଭାରତୀୟ ଶାସ୍ତ୍ରର ଗାରିମାକୁ ନଷ୍ଟ କରି ମିଥ୍ୟା ତଥ୍ୟ ଓ ମନଗଢ଼ା କାହାଣୀଙ୍କୁ ଇତିହାସ ନାମ ଦେଇଥିଲେ ।
ବାସ୍ତବରେ ବିଜ୍ଞାନର ଚରମ ଉକ୍ତର୍ଷର ଭିତ୍ତି ଚତୁର୍ବେଦ(ଋକ୍, ସାମ, ଯଦୁ, ଅଥର୍ବ) ପୃଷ୍ଠାରେ ହିଁ ରହିଛି । ଏହା ଭାରତୀୟଙ୍କ ପାଇଁ ଧାର୍ମିକ ପୁସ୍ତକ ନଥିଲା । ଥିଲା ମାର୍ଗଦର୍ଶକ ତଥା ଜୀବନ ଧାରା । ସଂସ୍କୃତ ଶବ୍ଦ 'ବେଦ'ର ଅର୍ଥ 'ଜ୍ଞାନ' । ଆଧୁନିକ ବିଜ୍ଞାନର ଅନେକ ଗୁଢ଼ ତତ୍ତ୍ୱ, ଗଣିତ ସୁତ୍ର, ଚିକିତ୍ସା ପଦ୍ଧତି, ଅନ୍ତରୀକ୍ଷ ବିଜ୍ଞାନ ମଧ୍ୟ ବେଦ ଶାସ୍ତ୍ରରେ ସନ୍ନିବେଶିତ ହୋଇଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏବେ ମଧ୍ୟ ବେଦ ଉପରେ ଅନୁଧ୍ୟାନ ଜାରି ରହିଛି । ବେଦ ଶ୍ଳୋକର ଅର୍ଥ, ସଂସ୍କୃତ ଶବ୍ଦ ସଂଯୋଜନାକୁ ବୁଝିବା ପାଇଁ ବିଦେଶୀଙ୍କୁ ଅନେକ ବର୍ଷ ଲାଗିଛି ନିଶ୍ଚୟ । କିନ୍ତୁ କିଞ୍ଚିତ ଅଂଶକୁ ବୁଝିଯିବା ପରେ ତାହାକୁ ପ୍ରଚାର କରି ଆବିଷ୍କାର କିମ୍ବା ଉଦ୍ଭାବନର ଡିଣ୍ଡିମ ପିଟା ଯାଇଛି ।
©ପ୍ରକାଶ ରଂଜନ ପରିଡ଼ା
Also Read: We Should Do Asanas to Lead a Disease-Free Life | Yogasutram