ପ୍ରାଣାୟାମ କଣ?

ସଂସ୍କୃତ ଶବ୍ଦ 'ପ୍ରାଣାୟାମ'ର ଅର୍ଥ: ପ୍ରାଣ + ଆୟାମ 

'ପ୍ରାଣ' ଶବ୍ଦର ଅର୍ଥ 'ଜୀବନ' ଓ 'ଆୟାମ' ଶବ୍ଦର ଅର୍ଥ 'ଦୀର୍ଘ' ବା ବିସ୍ତାର । ସାଧାରଣ ଅର୍ଥରେ ପ୍ରାଣାୟାମ କହିଲେ ନିରାମୟ ଓ ନିରୋଗ ଦୀର୍ଘ ଜୀବନକୁ ବୁଝାଇ ଥାଏ । ମହର୍ଷି ପତଞ୍ଜଳିଙ୍କ 'ଯୋଗସୁତ୍ର' ଅନୁଯାୟୀ ପ୍ରାଣାୟାମ ଜୀବନକୁ ନିୟନ୍ତ୍ରଣ କରିବାକୁ ସମ୍ପୂର୍ଣ୍ଣ ସମର୍ଥ ଏକ ଅଦୃଶ୍ୟ ମହାଶକ୍ତି । ଏକଥା ମନେ ରଖିବାକୁ ପଡ଼ିବ ପ୍ରାଣାୟାମ ଯୋଗର ଆଦ୍ୟ ଅଙ୍ଗ ନୁହେଁ । ଶରୀର ଯୋଗାସନରେ ଅଭ୍ୟସ୍ତ ହେବାପରେ ପ୍ରାଣାୟାମ କରିବା ବିଧେୟ । ଯୋଗାସନ ଫଳରେ ଶରୀର ସନ୍ତୁଳିତ ଅବସ୍ଥାକୁ ଆସିବା ପରେ ଶ୍ବାସକ୍ରିୟାକୁ ଶୃଙ୍ଖଳିତ ସହ ପରବର୍ତ୍ତୀ ସୋପାନକୁ ଯିବା ପାଇଁ ପ୍ରାଣାୟାମ ଉଦ୍ଦିଷ୍ଟ ।  

ପ୍ରାଣାୟାମର ମହତ୍ତ୍ୱ ଓ ଲାଭ ଗୁଡ଼ିକ କ’ଣ?

ମଣିଷ ଖାଦ୍ୟ ବିନା କିଛି ସପ୍ତାହ ଜୀବନ ଧାରଣ କରିପାରେ, ଜଳ ବିନା କିଛି ଦିନ ବଞ୍ଚିଯାଇପାରେ, କିନ୍ତୁ ଶ୍ୱାସକ୍ରିୟା ବିନା କିଛି ମୁହୂର୍ତ୍ତ ମଧ୍ୟ ବଞ୍ଚିବା ସମ୍ଭବପର ନୁହେଁ । ପ୍ରାଚୀନ ଭାରତବର୍ଷରେ ଯୋଗୀମାନେ ଏହି ରହସ୍ୟକୁ ଉନ୍ମୋଚିତ କରିବାରେ ସଫଳ ହୋଇଥିଲେ । ସମସ୍ତ ବାହ୍ୟିକ କ୍ରିୟା ସତ୍ତ୍ୱେ ସ୍ୱଳ୍ପାହାରରେ ସୁସ୍ଥ ରହିବା, ପ୍ରାଣକୁ ସଜୀବ ରଖିବା, ବୟସ ନିର୍ବିଶେଷରେ ସତେଜ ରହିବା ପାଇଁ ପ୍ରାୟାଣାମ ଅଦୃଷ୍ଟ ମହାଶକ୍ତିକୁ ଉପଯୋଗ କରିଥିଲେ ଯୋଗୀ । ନିୟମିତ ପ୍ରାଣାୟାମ କ୍ରିୟା ଅଭ୍ୟାସ ଫଳରେ ନାଡ଼ିଶୁଦ୍ଧି ହେବା ସହ ଶରୀରରେ ବାତ୍ତ, ପିତ୍ତ ଓ କଫ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ । 

ପ୍ରାଣାୟାମ ବିଦ୍ୟା ବିଶ୍ବବାସୀଙ୍କୁ ଚକିତ କରିଥିଲା । ଏହି ଶୁଦ୍ଧବିଦ୍ୟାରେ ସିଦ୍ଧ ହେବା ପାଇଁ ଜିଜ୍ଞାସୁ  ଭାରତ ଭୂଇଁ ପ୍ରତି ଆକର୍ଷିତ ହେଉଥିଲେ । ହଜାର ହଜାର ବର୍ଷ ଧରି ଯୋଗକୁ ଜୀବନର ଆଧାର ବନାଇଥିବା ଭାରତୀୟ ସଂସ୍କୃତି ସାରା ବିଶ୍ୱ ପାଇଁ ଆଲୋକ ବର୍ତ୍ତିକା ପରି ଦୃଶ୍ୟମାନ ହୋଇଥିଲା।

ବୈଦିକ କାଳରେ ଯୋଗୀମାନେ ସମାଜକୁ ପ୍ରାଣ ବିଜ୍ଞାନର ଚମତ୍କାର ଦର୍ଶନ କରାଇଥିଲେ। ବାହ୍ୟିକ ବ୍ରହ୍ମାଣ୍ଡ ଓ ଅନ୍ତ ବ୍ରହ୍ମାଣ୍ଡର କ୍ରିୟା, ପ୍ରତିକ୍ରିୟାର ସମାନତାକୁ ପ୍ରମାଣ ସିଦ୍ଧ କରିଥିଲେ । ସୂଷ୍ମ ସ୍ତରରେ ଚେତନାରେ ହିଁ ବ୍ରହ୍ମାଣ୍ଡ ଉପସ୍ଥିତ, ପୁଣି ଶରୀର ବା ପିଣ୍ଡରେ ମଧ୍ୟ ବ୍ରହ୍ମାଣ୍ଡର ପରିପ୍ରକାଶ ବିଦ୍ୟମାନ ।


ପ୍ରାଣାୟାମର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଗତ ଉପକାରିତା ଗୁଡିକ କଣ ?

  • ପ୍ରାଣାୟାମ ବାୟୁପଥକୁ ସ୍ୱଚ୍ଛ କରିଥାଏ
  • ପ୍ରାଣାୟାମ ରକ୍ତକୁ ଶୁଦ୍ଧ କରିଥାଏ 
  • ବାତ, ପିତ୍ତ ଓ କଫ ଜନିତ ରୋଗ ନାଶ କରେ 
  • ରକ୍ତଚାପକୁ ସ୍ୱାଭାବିକ କରେ 
  • ଶରୀରରେ ପ୍ରତ୍ୟେକ ଅଂଶରେ ଅମ୍ଳଜାନ ପହଞ୍ଚାଏ 
  • ଶରୀରରେ ବାତ, ପିତ୍ତ ଓ କଫକୁ ସନ୍ତୁଳିତ କରେ

ପ୍ରାଣାୟାମର ବୈଶିଷ୍ଟ୍ୟ କଣ?

ପ୍ରାଣାୟାମ ଏକ ପ୍ରକାର କ୍ରିୟା ଯାହା ଶରୀରରେ 

👉ସୁପ୍ତ କୋଷଗୁଡ଼ିକୁ ଜୀବନ୍ତ କରିଥାଏ

👉ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିଥାଏ

👉ସ୍ୱାସ୍ଥ୍ୟରେ ଉନ୍ନତି ଆଣେ 

👉ଖରାପ ଅଭ୍ୟାସରୁ ସ୍ୱତଃ ଦୂରେଇ ନିଏ

ପ୍ରାଣାୟାମ ଅତିରିକ୍ତ ଭାବରେ 👉ଶରୀରକୁ ଶକ୍ତି ଯୋଗାଏ 👉ହାଡକୁ ଦୃଢ଼ ଏବଂ ଦୀର୍ଘାୟୁ କରେ ।

ପ୍ରାଣାୟାମ ଓ ଶ୍ୱାସକ୍ରିୟା ମଧ୍ୟରେ ପାର୍ଥକ୍ୟ କଣ?

ଜୀବନ ଧାରଣ ପାଇଁ ଶ୍ୱାସକ୍ରିୟା ବା ନିଶ୍ୱାସ-ପ୍ରଶ୍ୱାସ ଆମେ ସ୍ୱାଭାବିକ ଭାବେ ତ୍ୟାଗ ଓ ଗ୍ରହଣ କରନ୍ତି କିନ୍ତୁ  ସତେତନ ଭାବରେ ଏହି କ୍ରିୟା ସମ୍ପାଦନକୁ ପ୍ରାଣାୟାମ କୁହାଯାଏ । ପ୍ରାଣାୟାମ ଆମ ମନ ଏବଂ ଶରୀରକୁ ଶାନ୍ତ କରେ; ଶେଷରେ ଆମକୁ ଜୀବନ ଉତ୍ସ ସହିତ ସଂଯୋଗ କରିଥାଏ ।

ମନ ଉପରେ ନିୟନ୍ତ୍ରଣ ବୃଦ୍ଧି ଫଳରେ ଆମେ ଅଧିକ କାର୍ଯ୍ୟ କରିବାରେ ସଫଳ ହୋଇପାରନ୍ତି । ଯେତେବେଳେ ଆମେ ଆମର ମନକୁ ଆମର ଶ୍ୱାସ ଉପରେ ଧ୍ୟାନ ଦେଇଥାଆନ୍ତି ଏବଂ କୌଣସି ଯୋଗ କ୍ରିୟା କିମ୍ବା ଏକ ସ୍ଥିତି ପ୍ରଦର୍ଶନ କରିଥାନ୍ତି, ଆମ ଶରୀର ମଧ୍ୟ ଏହି କ୍ରିୟାକୁ ଅନୁସରଣ କରେ ଯାହା ଧୀରେଧୀରେ ଶରୀରକୁ ମୂଳ ଉତ୍ସ ସହିତ ସଂଯୋଗ କରିଥାଏ ।

ସାଧାରଣ ଶ୍ୱାସକ୍ରିୟାରେ ଆମେ ଫୁସଫୁସର ଅଳିନ୍ଦ ଓ ନିଳୟରେ ଯେଉଁ ବାୟୁ ଭରଣ କରନ୍ତି ତାହା ବାୟୁର ପ୍ରାଥମିକ ସ୍ରୋତର କିଛି ଅଂଶ ମାତ୍ର । ଆମ ଶରୀରର ପ୍ରତ୍ୟକ ଅଂଶ ପାଇଁ ବାୟୁର ଆବଶ୍ୟକତା ରହିଥାଏ । ଯାହା ଶରୀରରେ ଜୀବନ ଶକ୍ତି ପ୍ରବାହ କରେ ଓ ଶରୀରକୁ ସତେଜତା ପ୍ରଦାନ କରେ । ବାୟୁ ବିନା ଶରୀର ନିସ୍ତେଜ ଓ ଶୁଷ୍କ ହୋଇଯାଇଥାଏ । 


ପ୍ରାଣାୟାମ  ଜୀବନଶୈଳୀରେ ପରିବର୍ତ୍ତନ କରିଥାଏ କି?

ଥରେ ଆପଣ ପ୍ରାଣାୟାମ ଆରମ୍ଭ କରିବା ପରେ, ପ୍ରାଣାୟାମର ସ୍ୱାସ୍ଥ୍ୟଗତ ଉପକାରିତା ଅନୁଭବ କରିପାରିବେ । ଆପଣ ପୂର୍ବାପେକ୍ଷା ଅଧିକ ସୁସ୍ଥ, ଆନନ୍ଦ ଅନୁଭବ କରିବେ । ଭିତରେ ଏକ ଶାନ୍ତ ଚେତନାକୁ ଅନୁଭବ କରିବେ ।

ପ୍ରାଣାୟାମ କିପରି କରାଯାଏ?

ପଞ୍ଚଭୂତ (ପାଣି, ମାଟି, ଆକାଶ, ପବନ, ନିଆଁ)ର ଶରୀର, ପଞ୍ଚଇନ୍ଦ୍ରିୟ ( ଆଖି, କାନ, ନାକ, ଜିଭ, ଚର୍ମ) ସହାୟତାରେ ଶରୀରରେ ପ୍ରାଣକୁ ସୁରକ୍ଷା ଯୋଗାଇଥାଏ । ପ୍ରାଣ, ମନ ଏବଂ ପଞ୍ଚ ଇନ୍ଦ୍ରୀୟକୁ ନିୟନ୍ତ୍ରଣ କରିଥାଏ । ଆୟୁର୍ବେଦ ଅନୁଯାୟୀ ପ୍ରାଣ, ବାୟୁଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଶରୀରରେ ପ୍ରାଣ ସଂଚାର ପାଇଁ ବାୟୁ ଏକ ଯାନ ପରି କାମ କରିଥାଏ । ପ୍ରାଣର କୌଣସି ଭୌତିକ ରୂପ ନଥାଏ । ଶିବ ସଂହିତା ଯୋଗଶାସ୍ତ୍ରରେ ପ୍ରାଣର କ୍ରିୟା ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି । ସମ୍ପୂର୍ଣ୍ଣ ଶରୀରରେ ପ୍ରାଣର ଉପସ୍ଥିତି ରହିଥାଏ । ପ୍ରାଣର ସ୍ଥିତି ଓ ଗତିକୁ ନେଇ ମୋଟ ୫ ଭାଗରେ ବିଭକ୍ତ କରାଯାଇଛି, ଯାହାକୁ ପଞ୍ଚପ୍ରାଣ ବୋଲି କୁହାଯାଏ ।



ପଞ୍ଚପ୍ରାଣ କଣ?

ଆମ ଶରୀର ମଧ୍ୟରେ ୫ ପ୍ରକାର ପ୍ରାଣ ପ୍ରତି ମୁହୂର୍ତ୍ତରେ କ୍ରିୟାଶୀଳ ରହିଛି ।  ପ୍ରତି ପ୍ରାଣ ଶରୀରରେ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ରହିଥାଏ । 

➡️ଅପାନ: ଆପାନ ନାଭିରୁ ପାଦକୁ ପ୍ରାଣ ସଂଚାର କରିଥାଏ । ପରିସ୍ରା ବା ନିର୍ଗମନ କାର୍ଯ୍ୟ କରିଥାଏ ।

➡️ସମାନ: ସମାନ ପ୍ରାଣକୁ ଅନ୍ତନଳୀରୁ ନାଭି ଆଡକୁ ନେଇଥାଏ ଏବଂ ବିଶୋଧିତ କାର୍ଯ୍ୟ କରିଥାଏ ।

➡️ପ୍ରାଣ: ହୃଦୟ କ୍ରିୟା ପାଇଁ ଆବଶ୍ୟକ ବାୟୁ ପାଟି ଓ ନାକ ମାଧ୍ୟମରେ ଶରୀର ଗ୍ରହଣ କରିଥାଏ ।

➡️ଉଦାନ: ଏହା ପ୍ରାଣକୁ ଗଳାରୁ ମଥାକୁ ସଂଚାର କରିଥାଏ  ।

➡️ବ୍ୟାନ: ଯାହା ସମ୍ପୂର୍ଣ୍ଣ ଶରୀରରେ ଉପସ୍ଥିତ ଥାଏ ।

ମାନବ ଶରୀରରେ  ପଞ୍ଚପ୍ରାଣ ସହିତ ୫ଟି ଉପପ୍ରାଣ ମଧ୍ୟ ରହିଛି । ଯାହା ପ୍ରାଣମୟ କୋଷକୁ ଶୁଦ୍ଧ, ସୁସ୍ଥ ଓ ନିରୋଗ ରଖିବା ପାଇଁ କାର୍ଯ୍ୟ କରିଥାଏ । 



ପଞ୍ଚ ଉପପ୍ରାଣ କଣ? 

ଶରୀରରେ ସ୍ଥିତ ପଞ୍ଚ ଉପପ୍ରାଣର ନାମ ଯଥାକ୍ରମେ:

  1. କୂର୍ମ
  2. କୃକର
  3. ଦେବଦତ୍ତ
  4. ନାଗ
  5. ଧନଞ୍ଜୟ 

ପଞ୍ଚ ଉପପ୍ରାଣର କାର୍ଯ୍ୟ କଣ?

ପଞ୍ଚଉପପ୍ରାଣ ଦ୍ୱାରା ହାକୁଟି ମାରିବା, ଛିଙ୍କିବା, ପଲକ ପକାଇବା, ହାଇ ମାରିବା, ଓ କୁଣ୍ଡାଇବା ପରି କ୍ରିୟା ଗୁଡ଼ିକ ସଂଚାଳିତ ହୋଇଥାଏ । 

ପଞ୍ଚଉପପ୍ରାଣ ଓ ଏହାର କାର୍ଯ୍ୟ:
  1. କୂର୍ମ- ପଲକ ପକାଇବା 
  2. କୃକର- ଭୋକ ଲାଗିବା
  3. ଦେବଦତ୍ତ- ହାଇ ମାରିବା / ନିଦ ଲାଗିବା
  4. ନାଗ- କୁଣ୍ଡାଇ ହେବା
  5. ଧନଞ୍ଜୟ- ଶେଷ ନିଶ୍ବାସ ତ୍ୟାଗ

ପଞ୍ଚଉପପ୍ରାଣର ଅବସ୍ଥିତି କେଉଁଠି?

  • ପ୍ରାଣବାୟୁର ଉପପ୍ରାଣ ନାଗ ନାଭିର ଉପରି ଭାଗରେ ଥାଏ । 
  • ସମାନ ପ୍ରାଣର ଉପପ୍ରାଣ କୃଙ୍କଳ, ଶ୍ୱାସନଳୀର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଥାଏ । 
  • ଅପାନ ପ୍ରାଣର ଉପପ୍ରାଣ କୂର୍ମ, ଚକ୍ଷୁରେ ରହିଥାଏ ।  
  • ଉଦାନ ପ୍ରାଣର ଉପପ୍ରାଣ ଦେବଦତ୍ତ, ଶ୍ୱାସନଳୀର ଉପରିଭାଗ ଗଳାରେ ରହିଥାଏ । 
  • ସାରା ଶରୀରରେ ବ୍ୟାପ୍ତ ବ୍ୟାନ ପ୍ରାଣର ଉପପ୍ରାଣ ଧନଞ୍ଜୟ ଅସ୍ଥି, ତ୍ୱଚା, ରକ୍ତ ଓ କେଶରେ ମଧ୍ୟ ଥାଏ । 

ପଞ୍ଚଉପପ୍ରାଣ ଶରୀରରେ ପଞ୍ଚଭୂତ ସହିତ ମଧ୍ୟ ସମ୍ବନ୍ଧିତ । ପ୍ରାଣ ଓ ଉପପ୍ରାଣ ଏକ ନିର୍ଦ୍ଦିଷ୍ଟ ମୂଳଭୂତ ସହିତ ସଂଯୁକ୍ତ ରହିବା ସହ ସପ୍ତଚକ୍ର(ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଅଜ୍ଞ, ସହସ୍ରାର)କୁ କ୍ରିୟାଶୀଳ କରିବାରେ ସାହାଯ୍ୟ କରିଥାନ୍ତି ।

  • ପ୍ରାଣବାୟୁ ଅନାହତ ଚକ୍ରକୁ କ୍ରିୟାଶୀଳ କରିଥାଏ । 
  • ସମାନ ପ୍ରାଣ ମଣିପୁର ଚକ୍ରକୁ କ୍ରିୟାଶୀଳ କରିଥାଏ।
  • ଅପାନ ପ୍ରାଣ ମୂଳାଧାରକୁ କ୍ରିୟାଶୀଳ କରିଥାଏ।
  • ଉଦାନ ପ୍ରାଣ ବିଶୁଦ୍ଧି ଚକ୍ରକୁ କ୍ରିୟାଶୀଳ କରିଥାଏ।
  • ବ୍ୟାନ ପ୍ରାଣ ସ୍ୱାଧୀଷ୍ଠାନ ଚକ୍ରକୁ କ୍ରିୟାଶୀଳ କରିଥାଏ। 

ପଞ୍ଚପ୍ରାଣ କାହାକୁ ଆଶ୍ରା କରିଥାଏ?

  • ପ୍ରାଣବାୟୁ - ବାୟୁକୁ ଆଶ୍ରା କରେ
  • ସମାନ ପ୍ରାଣ- ଅଗ୍ନିକୁ ଆଶ୍ରା କରେ
  • ଅପାନ ପ୍ରାଣ - ମାଟିକୁ ଆଶ୍ରା କରେ
  • ଉଦାନ ପ୍ରାଣ - ଆକାଶକୁ ଆଶ୍ରା କରେ
  • ବ୍ୟାନ ପ୍ରାଣ - ଜଳକୁ ଆଶ୍ରା କରିଥାଏ 


ଶ୍ୱାସକ୍ରିୟା କେତେ ପ୍ରକାର?

  • ପୂରକ: ପ୍ରଶ୍ୱାସ ଗ୍ରହଣ କରିବା କ୍ରିୟା 
  • କୁମ୍ଭକ: ପ୍ରଶ୍ୱାସକୁ ହୃଦୟରେ ଧରି ରଖିବା କ୍ରିୟା
  • ରେଚକ: ନିଶ୍ୱାସ ତ୍ୟାଗ କ୍ରିୟା 

ଅନ୍ୟ କିଛି ଯୋଗ ସିଦ୍ଧଙ୍କ ଅନୁସାରେ ଶୂନ୍ୟକ ଓ ବାହ୍ୟ କୁମ୍ଭକକୁ ମଧ୍ୟ ତାଲିକାରେ ସ୍ଥାନିତ କରାଯ।ଏ । 

ପ୍ରାଣାୟାମ କେତେ ପ୍ରକାର ଓ କଣ କଣ?

ପ୍ରାଣାୟାମ କେତେ ପ୍ରକାର ? ବିଭିନ୍ନ ଯୋଗଶାସ୍ତ୍ରରେ ଏହାର ଭିନ୍ନ ଭିନ୍ନ ସଂଖ୍ୟା ରହିଛି । ପୃଥିବୀ ପୃଷ୍ଠରେ ଯେତେ ପ୍ରକାରର ଜୀବ ଓ ଉଦ୍ଭିଦ ଅଛନ୍ତି, ସେତେ ପ୍ରକାରର ଯୋଗାସନ ରହିଛି । କାରଣ ଜୀବନ ଧାରଣ କରୁଥିବା ପ୍ରତି ଜୀବଙ୍କର ଶାରୀରିକ ଅବୟବ ରହିଛି । ପ୍ରତି ଜୀବର ଏକ ଭୌଗଳିକ ସ୍ଥିତି ମଧ୍ୟ ରହିଛି । ପୃଥିବୀ ପୃଷ୍ଠରେ ଜୀବନର ଉଦଘୋଷଣା କରୁଥିବା ପ୍ରତି ଜୀବଙ୍କ ସ୍ଥିତିକୁ ହିଁ ଯୋଗାସନ କୁହାଯାଏ । ଅନିର୍ଦ୍ଦିଷ୍ଟ ସଂଖ୍ୟାରେ ଯୋଗାସନ ରହିଥିଲେ ବି, ବର୍ତ୍ତମାନ ସମୟରେ ତାହା ମଧ୍ୟରୁ ମାତ୍ର ୮୪ଟି ଆସନକୁ ଯୋଗ ଅଭ୍ୟାସକାରୀମାନେ ଅଭ୍ୟାସ କରୁଛନ୍ତି । ଠିକ୍ ସେହିପରି ଶ୍ୱାସକ୍ରିୟା ସମ୍ପାଦନ କରୁଥିବା ଅନିର୍ଦ୍ଦିଷ୍ଟ ସଂଖ୍ୟାରେ ଜୀବ ରହିଥିବାରୁ ପ୍ରାଣାୟାମର ସଂଖ୍ୟା ମଧ୍ୟ ଅନିର୍ଦ୍ଦିଷ୍ଟ । ଯୋଗଗୁରୁମାନେ ସାଧକଙ୍କୁ ମୁଖ୍ୟତଃ ୮ରୁ ୧୧ ପ୍ରକାର ପ୍ରାଣାୟାମ କରିବାକୁ ପରାମର୍ଶ ଦିଅନ୍ତି । ହଠଯୋଗ ପ୍ରଦିପୀକା ଓ ଘେରଣ୍ଡ ସଂହିତାରେ ୮ ପ୍ରକାର ପ୍ରାଣାୟମର ବର୍ଣ୍ଣନା ରହିଛି ।

ଶରୀର ପାଇଁ ସର୍ବାଧିକ ଲାଭ ପ୍ରଦାନକାରୀ ପ୍ରାଣାୟାମ ଗୁଡ଼ିକ ହେଉଛି -

୧. ସୂର୍ଯ୍ୟଭେଦୀ

୨. ଉଜ୍ଜୟୀ

୩. ସିତ୍କାରୀ

୪. ଶୀତଳି

୫. ଭସ୍ତ୍ରୀକା

୬. ଭ୍ରାମରୀ

୭. ମୂର୍ଚ୍ଛା

୮. ପ୍ଳାବିନୀ ବା ପଲ୍ଲବିନୀ 

ଏହା ବ୍ୟତୀତ ନାଡ଼ିଶୋଧନ, କପାଳଭାତି ଓ ଅନୁଲୋମ-ବିଲୋମକୁ ମଧ୍ୟ ପ୍ରାଣାୟମ ଭାବେ ଗ୍ରହଣ କରାଯାଏ ।

1. ସୂର୍ଯ୍ୟଭେଦୀ ପ୍ରାଣାୟାମ

କିପରି କରିବେ ସୂର୍ଯ୍ୟଭେଦୀ ପ୍ରାଣାୟାମ? Surya Bhedi Pranayama 

ସୂର୍ଯ୍ୟଭେଦୀ ପ୍ରାଣାୟାମ କରିବାର ଲକ୍ଷ୍ୟ ଶରୀରରେ ସୂର୍ଯ୍ୟ ନାଡ଼ି ବା ପିଙ୍ଗଳା ନାଡିକୁ ସକ୍ରିୟ କରିବା । ଅର୍ଥାତ ଏହି କ୍ରିୟା ଦ୍ବାରା ଶରୀର ତାପମାତ୍ରା ବୃଦ୍ଧି ପାଇଥାଏ ।

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ତର୍ଜନୀ ଓ ମଧ୍ୟମା ଆଙ୍ଗୁଠିରେ ବାମ ନାକ ପୁଡ଼ାକୁ ବନ୍ଦ ରଖି କେବଳ ଦକ୍ଷିଣ ପୁଡ଼ାରେ ଧୀରେଧୀରେ ଶ୍ବାସ ଗ୍ରହଣ କରନ୍ତୁ ।  
  • ଯେତେ ସମ୍ଭବ ଶ୍ବାସକୁ ଛାତିରେ ଅଟକାଇ ରଖିବା ପରେ ପୁନଶ୍ଚ ଦକ୍ଷିଣ ପୁଡ଼ାରେ ଧୀରେଧୀରେ ଶ୍ବାସତ୍ୟାଗ କରନ୍ତୁ । 
  • ସାମର୍ଥ୍ୟ ଅନୁସାରେ ଶ୍ବାସକ୍ରିୟାର ଗତିକୁ ଦ୍ରୁତ କିମ୍ବା ମନ୍ଥର କରିପାରନ୍ତି । 
  • ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।

ସୂର୍ଯ୍ୟଭେଦୀ ପ୍ରାଣାୟାମ କରିବାର ଲାଭ:-

ପ୍ରାକୃତିକ ଉପାୟରେ ଥାଇରଏଡ, ଅସ୍ଥମା ପରି ପରି ରୋଗ ଶରୀରରୁ ଦୂର ହୋଇଯାଏ । ମେଦ ବହୁଳତା ରୋଗୀଙ୍କ ପାଇଁ ବେଶ୍ ଲାଭକାରୀ ସୂର୍ଯ୍ୟଭେଦୀ ପ୍ରାଣାୟାମ ।


୨. ଉଜ୍ଜୟୀ ପ୍ରାଣାୟାମ

କିପରି କରିବେ ଉଜ୍ଜୟୀ ପ୍ରାଣାୟାମ? Ujjayi Pranayama 

ଉଜ୍ଜୟୀ ପ୍ରାଣାୟାମ କରିବା ଦ୍ୱାରା ଶରୀରର ତାପ ବୃଦ୍ଧି ପାଇଥାଏ । ଏହି ସହଜ, ସରଳ କ୍ରିୟା କରିବା ଦ୍ୱାରା ଓଜନ ହ୍ରାସ ହେବା ସହ କଣ୍ଠସ୍ବର ମଧୁର ହୋଇଥାଏ । 


  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ଗଳା (ବିଶୁଦ୍ଧ ଚକ୍ର) ଉପରେ ଧ୍ୟାନ କେନ୍ଦ୍ରିତ କରି ସମୁଦ୍ରର ସୁସୁ ଗର୍ଜନ ପରି ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ କରନ୍ତୁ ।
  • କଣ୍ଠକୁ ସଙ୍କୁଚିତ କରିବା ପାଇଁ ପ୍ରୟାସ କରନ୍ତୁ । 
  • ଯଦି ସମ୍ଭବ ତେବେ କିଛି ସମୟ କୁମ୍ଭକ ପରେ ରେଚକ କ୍ରିୟା ବା ଶ୍ୱାସ ତ୍ୟାଗ କରନ୍ତୁ । 
  • ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।

ଉଜ୍ଜୟୀ ପ୍ରାଣାୟାମ କରିବାର ଲାଭ:-
ପ୍ରାକୃତିକ ଉପାୟରେ ଥାଇରଏଡ ସମେତ ଆସଥମା, ଟନସିଲ, ଦୃଦରୋଗ ପରି ରୋଗ ମଧ୍ୟ ଆପଣଙ୍କ ଶରୀରରୁ ଦୂର ହୋଇଯିବ ।


୩.  ସିତ୍କାରୀ ପ୍ରାଣାୟାମ

କିପରି କରିବେ ସିତ୍କାରୀ ପ୍ରାଣାୟାମ? Sheetkari Pranayama


ଖରାଦିନେ, ପ୍ରଚଣ୍ଡ ଗରମରୁ ବର୍ତ୍ତିବା ପାଇଁ କରନ୍ତୁ ଏହି ପ୍ରାଣାୟାମ । ଚାହିଁଲେ କମାଇ ପାରିବେ ଶରୀରର ତାପମାତ୍ରା । ମନେ ରଖନ୍ତୁ ଶୀତ ଦିନେ ଓ କଫ ରୋଗୀମାନେ ଏହି ପ୍ରାଣାୟମ କରିବା ଠିକ ନୁହେଁ । 

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ପ୍ରଥମେ ଜିଭକୁ ଉପର ତାଳୁରେ ଲଗାନ୍ତୁ । 
  • ଉପର ଓ ତଳ ଦାନ୍ତ ପଂକ୍ତିକୁ ଚାପି ରଖି ଓଠ ଖୋଲି ଦିଅନ୍ତୁ । 
  • ଧୀରେଧୀରେ ସି-ସି ଶବ୍ଦ କରି ପାଟିର ଉଭୟ ପାର୍ଶ୍ବରେ ଶ୍ବାସ ଗ୍ରହଣ କରନ୍ତୁ । 
  • ବାୟୁକୁ କିଛି କ୍ଷଣ ଫୁସଫୁସରେ ଅଟକାଇ ପାଟିକୁ ବନ୍ଦ କରି ଉଭୟ ନାସିକା ରନ୍ଧ୍ର ଦ୍ୱାରା ରେଚକ ବା ଶ୍ୱାସ ତ୍ୟାଗ କରନ୍ତୁ । ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।    
ସିତ୍କାରୀ ପ୍ରାଣାୟାମ କରିବାର ଲାଭ:-
ନିୟମିତ୍ତ ସିତ୍କାରୀ ପ୍ରାଣାୟାମ କରିବା ଦ୍ୱାରା ଦାନ୍ତ, ଗଳା, ପାଟି, ନାକ ଓ ଜିହ୍ୱା ରୋଗ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଇଥାଏ । 


୪.  ଶୀତଳି ପ୍ରାଣାୟାମ

କିପରି କରିବେ ଶୀତଳି ପ୍ରାଣାୟାମ? Sheetli Pranayama 


ଖରାଦିନେ, ପ୍ରବଳ ଗରମ ସମୟରେ ନିଜ ଶରୀରର ତାପମାତ୍ରା ଆପଣ ଚାହିଁଲେ କମ୍ କରି ପାରିବେ । ମନେ ରଖନ୍ତୁ ଶୀତ ଦିନେ ଓ କଫ ରୋଗୀମାନେ ଏହି ପ୍ରାଣାୟମ କରିବା ଠିକ ନୁହେଁ । 

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ଜିହ୍ୱାକୁ ବାହାରକୁ ବାହାର କରି ଉପର ପଟକୁ ଓଲଟାଇ ଗୋଲାକାର କରନ୍ତୁ । 
  • ଜିଭ ମଧ୍ୟସ୍ଥ ଛୋଟ ରନ୍ଧ୍ର ସାହାଯ୍ୟରେ ପୂରକ ବା ଶ୍ୱାସ ଗ୍ରହଣ କରନ୍ତୁ । 
  • ବାୟୁକୁ କିଛି କ୍ଷଣ ଫୁସଫୁସରେ ଅଟକାଇ ପାଟିକୁ ବନ୍ଦ କରି ଉଭୟ ନାସିକା ଦ୍ୱାରା ରେଚକ ବା ଶ୍ୱାସ ତ୍ୟାଗ କରନ୍ତୁ । 
  • ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।    
ଶୀତଳି ପ୍ରାଣାୟାମ କରିବାର ଲାଭ:-
ନିୟମିତ୍ତ ଶୀତଳି ପ୍ରାଣାୟାମ କରିବା ଦ୍ୱାରା କ୍ଷୁଦ୍ଧା ଓ ତୃଷା ଉପରେ ବିଜୟ ହେବା ସହ ପିତ୍ତ ରୋଗ, ଉଚ୍ଚ ରକ୍ତ ଚାପ, ଜିହ୍ୱା ଏବଂ ଗଳା ରୋଗ ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଇଥାଏ ।



୫. ଭସ୍ତ୍ରୀକା ପ୍ରାଣାୟାମ

କିପରି କରିବେ ଭସ୍ତ୍ରୀକା ପ୍ରାଣାୟାମ? Bhastrika Pranayama


ଭସ୍ତ୍ରୀକା ପ୍ରାଣାୟାମକୁ ଅଗ୍ନିବର୍ଷି ପ୍ରାଣାୟାମ କୁହାଯାଏ । କାରଣ ଏହି ପ୍ରାଣାୟାମ ଶରୀରରେ ତାପମାତ୍ରା ବୃଦ୍ଧି କରିଥାଏ । 

  • ଖାଲି ପେଟରେ ଶୁଦ୍ଧ ପରିବେଶରେ ବଜ୍ରାସନ କିମ୍ବା ପଦ୍ମାସନରେ ବସିଯାଆନ୍ତୁ । 
  • ଆଖି ବନ୍ଦ ରଖି ଶ୍ୱାସ କ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।
  • ଧୀରେଧୀରେ ଶ୍ୱାସ ଗ୍ରହଣ କରନ୍ତୁ, ବାୟୁକୁ କିଛି ସମୟ ଛାତିରେ ଅଟକାଇବାକୁ ପ୍ରୟାସ କରନ୍ତୁ ।  
  • ଧୀରେଧୀରେ ଶ୍ୱାସତ୍ୟାଗ କରନ୍ତୁ । 
  • ପ୍ରଥମେ ମନ୍ଥର ଓ ପରେ ଶ୍ୱାସକ୍ରିୟାକୁ ଦ୍ରୁତ କରନ୍ତୁ ।
  • ଅତି କମରେ ୨୧ ଥର ଏହି କ୍ରିୟା କରନ୍ତୁ । 

ଭସ୍ତ୍ରୀକା ପ୍ରାଣାୟାମ କରିବାର ଲାଭ:-
ଶରୀରରେ ୩ ଦୋଷ (ବାତ, ପିତ୍ତ, କଫ) ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ଭସ୍ତ୍ରୀକା ପ୍ରାଣାୟାମ ସାହାଯ୍ୟ କରିଥାଏ ।


୬.  ଭ୍ରାମରୀ ପ୍ରାଣାୟାମ

କିପରି କରିବେ ଭ୍ରାମରୀ ପ୍ରାଣାୟାମ?  Bhramari Pranayama


ଶାନ୍ତି ନିଦ୍ରା ସହ ନିୟମିତ ଭ୍ରାମରୀ ପ୍ରାଣାୟାମ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି, ମନର ଚଞ୍ଚଳତା ହ୍ରାସ ପାଇଥାଏ । ଗର୍ଭବତୀ ଓ ରଜସ୍ୱଳା ନାରୀ ଏହି କ୍ରିୟା କରିବା ଅନୁଚିତ । 

  • ଶୁଦ୍ଧ ପରିବେଶରେ ଧ୍ୟାନ ମୁଦ୍ରାରେ ବସି ଯାଆନ୍ତୁ । 
  • ଦୁଇ ଆଖିର ମଧ୍ୟଭାଗ ବା ଭୃକୁଟି (ଆଜ୍ଞ ଚକ୍ର) ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । 
  • ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ ପରେ ଦୁଇ ମଧ୍ୟମା ଆଙ୍ଗୁଳିରେ ନାସିକାର ମୂଳ ଅଂଶକୁ ସାମାନ୍ୟ ଚାପ ପ୍ରୟୋଗ କରି ଦବାଇ ରଖନ୍ତୁ । 
  • ଦୁଇ ବୃଦ୍ଧାଙ୍ଗୁଷ୍ଠିରେ ଦୁଇ କାନକୁ ସମ୍ପୂର୍ଣ୍ଣ ବନ୍ଦ ରଖନ୍ତୁ । 
  • ଏବେ ଭ୍ରମର ଗୁଞ୍ଜନ ପରି ଓଁକାର ଉଚାରଣ କରି ରେଚକ କ୍ରିୟା ବା ଶ୍ୱାସ ତ୍ୟାଗ କରନ୍ତୁ । 
  • ଅତି କମରେ ୮ରୁ ୧୦ ଥର ଏହି କ୍ରିୟା କରନ୍ତୁ ।    
ଭ୍ରାମରୀ ପ୍ରାଣାୟାମ କରିବାର ଲାଭ:-
ଦୁଶ୍ଚିନ୍ତା, ଉତ୍ତେଜନା, ଉଚ୍ଚ ରକ୍ତଚାପ, ହୃଦରୋଗ ପାଇଁ ମଧ୍ୟ ଭ୍ରାମରୀ ପ୍ରାଣାୟାମ ଫଳପ୍ରଦ ହୋଇଥାଏ । 


୭. ମୂର୍ଚ୍ଛା ପ୍ରାଣାୟାମ

କିପରି କରିବେ ମୂର୍ଚ୍ଛା ପ୍ରାଣାୟାମ ? Murchha Pranayama
ମୂର୍ଚ୍ଛା ପ୍ରାଣାୟମ ଜଟିଳ ପର୍ଯ୍ୟାୟର ପ୍ରାଣାୟାମ ଅଟେ । ଦୀର୍ଘ ଅଭ୍ୟାସକାରୀମାନେ ଏହି ପ୍ରାଣାୟାମ କରିଥାନ୍ତି । 

  • ଖାଲି ପେଟରେ ଶୁଦ୍ଧ ପରିବେଶରେ ସୁଖାସନରେ ବସି ଯାଆନ୍ତୁ । 
  • ଆଖି ବନ୍ଦ ରଖି କେବଳ ରେଚକ କ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।
  • ଧୀରେଧୀରେ ଶ୍ୱାସ ତ୍ୟାଗ କରନ୍ତୁ ।
  • ବାୟୁକୁ କିଛି ସମୟ ଛାତିରେ ଅଟକାଇବାକୁ ପ୍ରୟାସ କରନ୍ତୁ ।  
ଏହି ପ୍ରାଣାୟାମରେ କେବଳ ରେଚକ କ୍ରିୟା କରାଯାଏ । ଶରୀରରୁ ସମ୍ପୂର୍ଣ୍ଣ ବାୟୁ ନିର୍ଗମନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଏ । ଏହାପରେ ଏକ ଅଚେତନ ଅବସ୍ଥା ଆସିଥାଏ । ତନ୍ଦ୍ରା ଅବସ୍ଥାରେ ଶରୀର ସ୍ୱତଃ ଶ୍ୱାସ ଗ୍ରହଣ କରିଥାଏ ।
ମୂର୍ଚ୍ଛା ପ୍ରାଣାୟାମ କରିବାର ଲାଭ:-
ସଠିକ ଭାବେ ମୂର୍ଚ୍ଛା ପ୍ରାଣାୟାମ କରିପାରିଲେ ଶରୀରରେ ରୋଗ ନାଶ ହୋଇଥାଏ ।


୮. ପଲ୍ଲବିନୀ ପ୍ରାଣାୟାମ

କିପରି କରିବେ ପଲ୍ଲବନୀ ପ୍ରାଣାୟାମ? Pallvini Pranayama


ଜଳ ମଧ୍ୟରେ ହିଁ ବଲ୍ଲବନୀ ପ୍ରାଣାୟାମ କରାଯାଏ । ଦୀର୍ଘ ଅଭ୍ୟାସ ପରେ ଏପରି ପ୍ରାଣାୟାମରେ ଅଭ୍ୟାସକାରୀ ସିଦ୍ଧ ପ୍ରାପ୍ତ ହୋଇଥାନ୍ତି ।

  • ଖାଲି ପେଟରେ ଶୁଦ୍ଧ ଜଳାଶୟରେ ଶବାସନ ପ୍ରୟାସ କରନ୍ତୁ । 
  • ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରନ୍ତୁ ।
  • ଧୀରେଧୀରେ ଶ୍ୱାସ ତ୍ୟାଗ କରନ୍ତୁ ।
  • ଶରୀର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରନ୍ତୁ।
  • ନିଜ ଇଚ୍ଛା ଅନୁସାରେ ଜଳରେ ନିଜ ସ୍ଥିତି ନିର୍ଦ୍ଧାରଣ କରନ୍ତୁ ।
ପଲ୍ଲବନୀ ପ୍ରାଣାୟାମ ଜଟିଳ ପର୍ଯ୍ୟାୟର ପ୍ରାଣାୟାମ ହୋଇଥିବାରୁ ସାଧାରଣ ଅଭ୍ୟାସକାରୀ ଏଥିରେ ସିଦ୍ଧ ହୋଇ ପାରି ନଥାନ୍ତି । ଏଥିପାଇଁ ନିଜ ଶରୀର ଓ ଶ୍ୱାସ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆବଶ୍ୟକ ହୋଇଥାଏ । ଉଦାନ ପ୍ରାଣ ସଂଚାର ଉପରେ ନିୟନ୍ତ୍ରଣ ଆସିବା ପରେ ସାଧକ ଏହି କ୍ରିୟା କରିବାକୁ ସମର୍ଥ ହୋଇଥାନ୍ତି ।


ପଲ୍ଲବନୀ ପ୍ରାଣାୟାମ କରିବାର ଲାଭ:-

ପଲ୍ଲବନୀ ପ୍ରାଣାୟାମ କରିପାରିଲେ ପଞ୍ଚ ଇନ୍ଦ୍ରୀୟ ପ୍ରାୟାଣାମକାରୀଙ୍କ ଅଧୀନ ହୋଇଥାନ୍ତି । କୌଣସି ବାହ୍ୟଶକ୍ତି ତାଙ୍କର ଚେତନା ସ୍ତରକୁ ଆଲୋଡ଼ିତ ବା ଅସ୍ଥିର କରପାରିନଥାଏ ।

ତାଲିକାରେ ନଥିବା ଅନ୍ୟ ପ୍ରାଣାୟାମ ଗୁଡ଼ିକ ମଧ୍ୟରେ ନାଡ଼ିଶୋଧନ, କପାଳଭାତି ଓ ଅନୁଲୋମ-ବିଲୋମ ବେଶ୍ ଗୁରୁତ୍ବପୂର୍ଣ୍ଣ । 

୧. ନାଡ଼ି ଶୋଧନ ପ୍ରାଣାୟାମ

କିପରି କରିବେ ନାଡ଼ି ଶୋଧନ ପ୍ରାଣାୟାମ? Nadi Shodhan Pranayama

ଶରୀରର ପ୍ରତିଟି କ୍ରିୟା, ପ୍ରତିକ୍ରିୟା ନାଡି ଦ୍ୱାରା ନିୟନ୍ତ୍ରିତ । ମଣିଷ ଶରୀରରେ ଥିବା ୭୨ ହଜାର ନାଡ଼ିକୁ ଶୋଧନ କରିବା ପାଇଁ ନାଡି ଶୋଧନ ପ୍ରାଣାୟାମ କରାଯାଏ । 

  • ମେରୁଦଣ୍ଡକୁ ସିଧା ରଖି ସୁଖାସନ, ପଦ୍ମାସନ, ସିଦ୍ଧାସନ, ସୁଖାସନ କିମ୍ବା ବଜ୍ରାସନରେ ବସିଯାଆନ୍ତୁ । 
  • ଆଖି ବନ୍ଦ ରଖନ୍ତୁ, ଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । 
  • ବୃଦ୍ଧାଙ୍ଗୁଠିରେ ଡାହାଣ ନାକପୁଡ଼ା ବନ୍ଦ ରଖି ବାମ ପୁଡ଼ାରେ ଧୀରେଧୀରେ ପୁରକ କ୍ରିୟା ବା ଶ୍ୱାସ ଗ୍ରହଣ କରନ୍ତୁ । 
  • ବାୟୁକୁ ଛାତିରେ କିଛି ସମୟ ଅଟକାଇ ରଖନ୍ତୁ । 
  • ତର୍ଜନୀ ଓ ମଧ୍ୟମା ଆଙ୍ଗୁଳିରେ ଦକ୍ଷିଣ ନାକପୁଡ଼ା ବନ୍ଦ କରି ବାମ ପୁଡ଼ାରେ ନିଶବ୍ଦରେ ଶ୍ୱାସ ତ୍ୟାଗ କରନ୍ତୁ । 
  • ଏହିପରି ୫ ଥର କରିବା ପରେ ଦକ୍ଷିଣରୁ ବାମକୁ ପରିବର୍ତ୍ତନ କରନ୍ତୁ । 

ନାଡ଼ି ଶୋଧନ ପ୍ରାଣାୟାମ କରିବାର ଲାଭ:-

ଖୁବ ସରଳ ଏହି କ୍ରିୟା ପ୍ରାଣ ଶକ୍ତିକୁ ଜାଗ୍ରତ କରିବା ସହ ଇଡ଼ା (ଚନ୍ଦ୍ର ପାର୍ଶ୍ୱ ବା ଛାତିର ବାମ ପାର୍ଶ୍ୱ) ଓ ପିଙ୍ଗଳା (ସୂର୍ଯ୍ୟ ପାର୍ଶ୍ୱ ବା ଛାତିର ଦକ୍ଷିଣ ପାର୍ଶ୍ୱ) ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ । 

୨. କପାଳଭାତି ପ୍ରାଣାୟାମ

କିପରି କରିବେ କପାଳଭାତି ପ୍ରାଣାୟାମ ? Kapalbhati Pranayama 

ରୋଗ ନାଶକ କପାଳଭାତି ପ୍ରାଣାୟମ କରିବା ଦ୍ୱାରା ଲିଭର ଓ କିଡନୀ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ଦୂର ହୋଇଥାଏ ସମସ୍ତ ପେଟ ରୋଗ । ମନେ ରଖନ୍ତୁ କେବଳ ଖାଲି ପେଟରେ ଥିବା ସମୟରେ ଏହି ପ୍ରାଣାୟାମ କରନ୍ତୁ । ଗର୍ଭବତୀ ଓ ଋତୁମତୀ କରନ୍ତୁ ନାହିଁ କପାଳଭାତି ପ୍ରାଣାୟାମ । 

  • ଖାଲି ପେଟରେ ଶୁଦ୍ଧ ପରିବେଶରେ ବଜ୍ରାସନ କିମ୍ବା ପଦ୍ମାସନରେ ବସିଯାଆନ୍ତୁ । 
  • ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ ଉପରେ ଧ୍ୟାନ କେନ୍ଦ୍ରିତ ନକରି କେବଳ କୁମ୍ଭକ କ୍ରିୟା ବା ଶ୍ୱାସ ତ୍ୟାଗ ଉପରେ ଜୋର ଦିଅନ୍ତୁ ।  
  • ସମ୍ପୂର୍ଣ୍ଣ ଏକାଗ୍ରତା ସହ ପୂର୍ଣ୍ଣ କ୍ଷମତା ସହ ଶ୍ୱାସତ୍ୟାଗ କରନ୍ତୁ । 
  • ଅତି କମରେ ୨୧ ଥର ଏହି କ୍ରିୟା କରନ୍ତୁ । 
  • କପାଳଭାତି କରିବା ସମୟରେ ସ୍ୱାଭାବିକଭାବେ ପେଟର ସଙ୍କୋଚନ ଓ ପ୍ରସାରଣ କ୍ରିୟା ହୋଇଥାଏ । 

କପାଳଭାତି ପ୍ରାଣାୟାମ କରିବାର ଲାଭ:-

ନିୟମିତ କପାଳଭାତି ପ୍ରାଣାୟାମ କଲେ ରକ୍ତ ଶୁଦ୍ଧ ହୁଏ । ହୃଦୟ ଓ ମସ୍କିଷ୍କକୁ ଅମ୍ଳଜାନ ମିଳିବା ସହ ଥଣ୍ଡା, ସର୍ଦି, କଫ ରୋଗ, ଥାଇରଏଡ, ଟନସିଲ, ସାଇନସ ପରି ରୋଗରୁ ଆରୋଗ୍ୟ ପ୍ରାପ୍ତ ହୁଏ । 

୩. ଅନୁଲୋମ ବିଲୋମ ପ୍ରାଣାୟାମ

କିପରି କରିବେ ଅନୁଲୋମ ବିଲୋମ ପ୍ରାଣାୟାମ? Anuloma Viloma Pranayama

ପ୍ରଭାତ ଓ ସଂଧ୍ୟା କାଳ ପ୍ରାଣାୟାମ ପାଇଁ ସର୍ବୋକ୍ତୃଷ୍ଟ ସମୟ । କିନ୍ତୁ ଆପଣ ଚାହିଁଲେ ଦିନର ଯେକୌଣସି ସମୟରେ ଅନୁଲୋମ ବିଲୋମ ପ୍ରାଣାୟାମ କରିପାରିବେ । ମନେରଖନ୍ତୁ ଧୀରେଧୀରେ ଶ୍ୱାସଗ୍ରହଣ ଓ ଶ୍ୱାସତ୍ୟାଗ କରୁଥିଲେ ମଧ୍ୟ ନିଜ ଶ୍ୱାସ ଶବ୍ଦ ଶୁଣିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ମନ ଏକାଗ୍ର ହେବ । 
  • ଖାଲି ପେଟରେ ଶୁଦ୍ଧ ପରିବେଶରେ ସୁଖାସନ, ସିଦ୍ଧାସନ, ବଜ୍ରାସନ କିମ୍ବା ପଦ୍ମାସନରେ ବସିଯାଆନ୍ତୁ । 
  • ଶ୍ୱାସକ୍ରିୟା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରନ୍ତୁ । 
  • ବୃଦ୍ଧାଙ୍ଗୁଠିରେ ଦକ୍ଷିଣ ନାକ ପୁଡ଼ା ବନ୍ଦ ରଖି ଧୀରେଧୀରେ ବାମ ପୁଡ଼ାରେ ପୁରକ କ୍ରିୟା ବା ପ୍ରଶ୍ୱାସ ଗ୍ରହଣ କରନ୍ତୁ।
  • ଯଥାସମ୍ଭବ କୁମ୍ଭକ କ୍ରିୟା ବା ଛାତିରେ ବାୟୁ ଅଟକାଇବାକୁ ପ୍ରୟାସ କରନ୍ତୁ । 
  • ତର୍ଜନୀ ଓ ମଧ୍ୟମା ଆଙ୍ଗୁଳିରେ ବାମ ନାକପୁଡ଼ା ବନ୍ଦ କରି ଧୀରେଧୀରେ ରେଚକ କ୍ରିୟା ବା ଶ୍ୱାସତ୍ୟାଗ କରନ୍ତୁ । 
  • କ୍ଷମତା ଅନୁସାରେ ୩, ୪, ୫ କିମ୍ବା ୯ ଥର ଏପରି କରିବା ପରେ ପଟ୍ଟ ପରିବର୍ତ୍ତନ କରନ୍ତୁ । 

ଅନୁଲୋମ ବିଲୋମ ପ୍ରାଣାୟାମ କରିବାର ଲାଭ:-

ନିୟମିତ ଅନୁଲୋମ ବିଲୋମ ପ୍ରାଣାୟାମ କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ତ ଜଟିଳତା ଦୂର ହୋଇଯାଇଥାଏ । ଉଭୟ ଶରୀର ଓ ମନ ପାଇଁ ସର୍ବରୋଗନାଶକ ଅନୁଲୋମ ବିଲୋମ ପ୍ରାଣାୟାମ ବହୁତ ସରଳ ଅଟେ । ଏହାଦ୍ୱାରା ଆଖି ଯନ୍ତ୍ରଣା, ବାଳ ଉପୁଡିବା, କୋଲେଷ୍ଟ୍ରଲ ନିୟନ୍ତ୍ରଣ ସହିତ ଚର୍ମ ରୋଗ ମଧ୍ୟ ଦୂର ହୋଇଯାଏ । 

ପ୍ରାଣାୟାମ ଆରମ୍ଭ କରିବା ପୂର୍ବରୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ 

  • ପ୍ରଭାତ ଓ ସଂଧ୍ୟା ସମୟ ପ୍ରାଣାୟାମ ଅଭ୍ୟାସ କରିବା ପାଇଁ ସର୍ବୋତ୍ତମ ସମୟ । 
  • ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରାଣାୟାମ କରିବା ଉଚିତ୍ । 
  • କେବଳ ଖାଲି ପେଟରେ ହିଁ ପ୍ରାଣାୟମ କରିବା ଉଚିତ । 
  • ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ଅତି କମରେ ୫ ଘଣ୍ଟା ପରେ ପ୍ରାଣାୟାମ କରିବା ଉଚିତ । 
  • ଆବଦ୍ଧ କୋଠରୀ କିମ୍ବା ଶୀତତାପ ନିୟନ୍ତ୍ରିତ କୋଠରୀରେ ପ୍ରାଣାୟାମ କରନ୍ତୁ ନାହିଁ
  • ମୁକ୍ତାକାଶ ତଳେ ଶାନ୍ତ, ପରିଷ୍କାର ଏବଂ ମନୋରମ ପରିବେଶକୁ ବାଛନ୍ତୁ । 
  • ଶରୀରରେ ଚାପ ପକାଉଥିବା ପୋଷାକ ବଦଳରେ ପ୍ରାକୃତିକ ତନ୍ତୁରେ ନିର୍ମିତ ଆରାମଦାୟକ ପୋଷାକ ପରିଧାନ କରନ୍ତୁ
  • ପଦ୍ମାସନ, ସୁଖାସନ କିମ୍ବା ବଜ୍ରାସନରେ ମେରୁଦଣ୍ଡକୁ ସିଧା କରି ବସନ୍ତୁ । 
  • ଦୈନିକ ପ୍ରାଣାୟାମ କରିବା ପୂର୍ବରୁ ହାତ, ଗୋଡ଼, ମୁହଁ ଧୋଇ ଶୁଦ୍ଧ ହେବା ଆବଶ୍ୟକ । 
  • ପ୍ରାଣାୟାମର 20 ମିନିଟ ପରେ ମାଟି କିମ୍ବା ତମ୍ବା ପାତ୍ରରେ 6 ଘଣ୍ଟା ପୂର୍ବରୁ ସଂଗୃହୀତ ପାଣି ପିଅନ୍ତୁ।
  • ଶରୀର ତାପମାତ୍ରା ସ୍ୱାଭାବିକ ହେବା ପରେ ସ୍ନାନ କରନ୍ତୁ ।  

ପ୍ରାଣାୟାମ ଅଭ୍ୟାସକାରୀଙ୍କ ପାଇଁ ସାଧାରଣ ଟିପ୍ପଣୀ 

ଯଦି ଆପଣ ପ୍ରାଣାୟାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ... କୌଣସି ମାଧ୍ୟମରୁ ପ୍ରେରିତ ହୋଇ ପ୍ରାଣାୟାମ କରୁଛନ୍ତି, ତେବେ ଦକ୍ଷ ଓ ଅଭିଜ୍ଞ ଯୋଗୀଙ୍କ ମାର୍ଗଦର୍ଶନରେ ପ୍ରାଣାୟାମ କରନ୍ତୁ । 

What Is Pranayama and Its Types Benefits | Yogashree

ଶେଷକଥା

ଶ୍ୱାସକ୍ରିୟା ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଅଟେ । ଏହା ଶରୀରର ପ୍ରତ୍ୟେକ କୋଷର କାର୍ଯ୍ୟକଳାପକୁ ପ୍ରଭାବିତ କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ୱାସ ମସ୍ତିଷ୍କର କାର୍ଯ୍ୟଦକ୍ଷତା ସହିତ ନିବିଡ଼ ଭାବରେ ଜଡ଼ିତ । ମଣିଷମାନେ ପ୍ରତି ମିନିଟରେ ପ୍ରାୟ ୧୫ ଥର ଏବଂ ଦିନକୁ ପ୍ରାୟ ୨୧,୬୦୦ ଥର ଶ୍ୱାସକ୍ରିୟା ସମ୍ପାଦନ କରିଥାନ୍ତି। ନିୟମିତ ପ୍ରାଣାୟାମ ଅଭ୍ୟାସ କରିବା ପରେ ମିନିଟ ପ୍ରତି ଶ୍ବାସକ୍ରିୟା ସଂଖ୍ୟା ହ୍ରାସ ପାଇଥାଏ । ମିିନିଟ ପ୍ରତି ଶ୍ବାସକ୍ରିୟା ୯କୁ ହ୍ରାସ ପାଇଲେ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଓ ରୋଗଶୂନ୍ୟ ହୋଇଥାଏ ବୋଲି ଯୋଗଶାସ୍ତ୍ରରେ କୁହାଯାଇଛି ।

ଶ୍ୱାସକ୍ରିୟା  ଶରୀରକୁ ଅମ୍ଳଜାନ ଯୋଗାଇବା ସହ ଶରୀରରେ ଶକ୍ତି ସଂଚାର କରେ ।  ନିଶ୍ୱାସ-ପ୍ରଶ୍ୱାସ ମାନବ ଅନୁଭୂତିର ସମସ୍ତ ଦିଗ ସହିତ ସଂଯୁକ୍ତ । ଅଧିକାଂଶ ଲୋକ ଶ୍ୱାସକ୍ରିୟା ପ୍ରତି ସଚେତନ ନଥିବାରୁ  ନିଜ ଶରୀରର ଫୁସଫୁସ୍ କ୍ଷମତାର ଖୁବ ଛୋଟ ଅଂଶକୁ କାର୍ଯ୍ୟକ୍ଷମ କରିଥାନ୍ତି । ପ୍ରାଣାୟାମ ଅଭ୍ୟାସ ପରେ ଶ୍ୱାସକ୍ରିୟା ସୁଗମ ହେବା ସହ ଶରୀରର ପ୍ରତିଟି ଅଂଶରେ ଏହାର ସୁପ୍ରଭାବ ପଡ଼ିଥାଏ । 



Also Read: Important Physical and Emotional Health Benefits of Pranayama