ଯୋଗ ଦର୍ଶନର ଅନ୍ୟତମ ମୂଳ ଗ୍ରନ୍ଥର ଶ୍ରେୟ ମହର୍ଷି ପତଞ୍ଜଳିଙ୍କୁ ଦିଆଯାଏ । ଯଦିଓ ମହର୍ଷି ପତଞ୍ଚଳିଙ୍କ ପୂର୍ବରୁ ମଧ୍ୟ ଭାରତବର୍ଷରେ ଅସଂଖ୍ୟ ସିଦ୍ଧ ଯୋଗୀ ଥିଲେ କିନ୍ତୁ ପୂର୍ବରୁ ସିଦ୍ଧ ଯୋଗୀଙ୍କ ଦ୍ବାରା ପ୍ରଣିତ ସୁତ୍ରକୁ ସୁସଂହତ କରି ଗୋଟିଏ ମାଳାରେ ଗୁନ୍ଥି ଦେଇଥିଲେ ମହର୍ଷି ପତଞ୍ଜଳି । ଯାହା ତତ୍କାଳୀନ ସମୟ ପାଇଁ ଯେତିକି ଉପଯୋଗୀ ଥିଲା ବର୍ତ୍ତମାନ ସମାଜ ପାଇଁ ମଧ୍ୟ ସେତିକି ଉପଯୋଗୀ । ପ୍ରାୟତଃ ପନ୍ଦର ଶହ ଶତାବ୍ଦୀରେ ସମାଜକୁ ଏହି ଅମୂଲ୍ୟ ଉପହାର ଦେଇଥିଲେ ମହର୍ଷିି । ହଠଯୋଗ, ତନ୍ତ୍ର ଯୋଗର ଜଟିଳ ସୁତ୍ର ଅପେକ୍ଷା ସାଧାରଣ ଲୋକଙ୍କ ପାଇଁ ପତଞ୍ଜଳିଙ୍କ ଯୋଗସୁତ୍ର ଅଧିକ ସରଳ ବୋଧ ହୋଇଥିଲା । ମହର୍ଷି ପତଞ୍ଜଳି ସମ୍ପୂର୍ଣ୍ଣ ରାଜଯୋଗକୁ ଚାରିଟି ସୋପାନରେ ୧୯୬ଟି ସୁତ୍ର ମାଧ୍ୟମରେ ଏକାଠି କରିଥିଲେ ।
ବୈଦିକ ଯୋଗ ଦର୍ଶନ ଅନୁସାରେ ଯୋଗ ସିଦ୍ଧି ପ୍ରାପ୍ତି ପାଇଁ ରହିଛି ୪ଟି ମାର୍ଗ । ଯଥା-
- କର୍ମଯୋଗ
- ଭକ୍ତିଯୋଗ
- ଜ୍ଞାନଯୋଗ
- ରାଜ ଯୋଗ
ମହର୍ଷି ପତଞ୍ଜଳିଙ୍କ ଯୋଗସୁତ୍ର ବା ଯୋଗ ଦର୍ଶନ
ଯୋଗର ଲକ୍ଷ୍ୟ ଶରୀର, ମନ ଓ ଆତ୍ମାର ମହାମିଳନ , ପରମାତ୍ମା ପ୍ରାପ୍ତି ବା ସର୍ବ ଦୁଃଖରୁ ମୁକ୍ତି । ଯୋଗ ମାଧ୍ୟମରେ ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତି ଉଦ୍ଦେଶ୍ୟରେ ମହର୍ଷି ପତଞ୍ଚଳି ସମାଜକୁ ଯୋଗସୁତ୍ର ଭେଟି ଦେଇଥିଲେ । ତନ୍ତ୍ରଯୋଗକୁ ଶାରୀରିକ ସୁସ୍ଥତା ପାଇଁ, ଯୋଗସୁତ୍ରକୁ ଆଧ୍ୟାତ୍ମିକ ସିଦ୍ଧି ପାଇଁ ଓ ସାରା ସମାଜର କଲ୍ୟାଣ ପାଇଁ ଭେଟି ଦେଇଥିଲେ ମହାଭାଷ୍ୟମ୍ ଶାସ୍ତ୍ର । ମୁଖ୍ୟ ୪ଟି ଯୋଗମାର୍ଗ ମଧ୍ୟରେ ମାନବ ଜୀବନ ପାଇଁ ମୁଖ୍ୟ ଯୋଗ ହେଉଛି ରାଜଯୋଗ । ମହର୍ଷି ପତଞ୍ଜଳି ଅଷ୍ଟାଙ୍ଗ ଯୋଗକୁ ଚାରିଟି ଅଧ୍ୟାୟରେ ବିଭକ୍ତ କରିଛନ୍ତି । ତାହା ହେଉଛି ଥଯାକ୍ରମେ-
- ସମାଧି ପାଦ - (୫୧ଟି ସୁତ୍ର)
- ସାଧନା ପାଦ - (୫୫ଟି ସୁତ୍ର)
- ବିଭୂତି ପାଦ - (୫୬ଟି ସୁତ୍ର)
- କୈବଲ୍ୟ ପାଦ - (୩୪ଟି ସୁତ୍ର)
ଅଷ୍ଟାଙ୍ଗ ଯୋଗ- ୮ଟି ମାର୍ଗର ସମାହାର
- ଯମ
- ନିୟମ
- ଆସନ
- ପ୍ରାଣାୟମ
- ପ୍ରତ୍ୟାହାର
- ଧାରଣା
- ଧ୍ୟାନ
- ସମାଧି
ଯୋଗ ବିଜ୍ଞାନରେ ଏହି ଆଠଟି ଅଙ୍ଗ ପରସ୍ପର ସହିତ ସଂଯୁକ୍ତ । ଯୋଗ ସାଧନାକାରୀମାନେ ଏହି ନିର୍ଦ୍ଦିଷ୍ଟ କ୍ରମରେ ଯୋଗ ସାଧନା କରିଥାନ୍ତି ।
ଅଷ୍ଟାଙ୍ଗ ଯୋଗର ପ୍ରଥମ ସୋପାନ- ଯମ
ଯୋଗ ସାଧନାର ପ୍ରଥମ ଚରଣ ହେଉଛି ସଂଯମତା । ସାଧନାକାରୀ ପ୍ରଥମେ ନିଜକୁ ସଂସାରର ଆସକ୍ତିରୁ ମୁକ୍ତ ରଖିବା ଆବଶ୍ୟକ । ପ୍ରଥମ ସୋପାନରେ ସାଧକଙ୍କୁ ଅହିଂସା ବ୍ରତ ପାଳନ ସହିତ ସତ୍ୟଦ୍ରଷ୍ଠା ହେବା ବିଧେୟ । ଯୋଗର ପ୍ରଥମ ସୋପାନରେ ସାଧକଙ୍କୁ ବାହ୍ୟ ଅନୁଶାସନ ପାଇଁ ସଂକଳ୍ପବଦ୍ଧ କରିଛନ୍ତି ମହର୍ଷି । ପ୍ରଥମ ସୋପାନରେ ସାଧକ କଣ ନକରିବା ଉଚିତ ତାହା ଅବଗତ କରାଯାଇଛି । ଏହି ସୋପାନରେ ୫ଟି ସଂକଳ୍ପ ହେଉଛି-
- ଅହିଂସା
- ସତ୍ୟ
- ଅସ୍ତେୟ
- ବ୍ରହ୍ମଶ୍ଚର୍ଯ୍ୟ
- ଅପରିଗ୍ରହ
ଅଷ୍ଟାଙ୍ଗ ଯୋଗର ଦ୍ୱିତୀୟ ସୋପାନ- ନିୟମ
ଯୋଗର ଦ୍ଵିତୀୟ ସୋପାନରେ ସାଧକ ନିଜକୁ ଅନୁଶାସିତ କରିଥାଏ । ସଂସାର ପ୍ରତି ସନ୍ତୋଷ ଭାବ ସହ ସୁସଂହତ ଜୀବନଶୈଳୀ ଆପଣାଇ ଥାଆନ୍ତି ସାଧକ । ପ୍ରଥମ ସୋପାନରେ ବାହ୍ୟ ଅନୁଶାସନ ପରେ ଦ୍ବିତୀୟ ସୋପାନରେ ଅନ୍ତଃଅନୁଶାସନକୁ ଗୁରୁତ୍ବ ଦେଇଛନ୍ତି ମହର୍ଷି । ଦ୍ବିତୀୟ ସୋପାନରେ ୫ଟି ସଂକଳ୍ପ ହେଉଛି-
- ଶୌଚ
- ସନ୍ତୋଷ
- ତାପସ
- ସ୍ବଧ୍ୟାୟ
- ଇଶ୍ବର ପ୍ରଣିଧାନ
Also Read: Pranayama: ପ୍ରାଣାୟାମ କଣ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ?
ଅଷ୍ଟାଙ୍ଗ ଯୋଗର ତୃତୀୟ ସୋପାନ- ଆସନ
ତୃତୀୟ ସୋପାନରେ ସାଧକ ନିଜ ଶରୀର ପ୍ରତି ଯତ୍ନବାନ ହୋଇଥାଏ । ଆଳସ୍ୟ ତ୍ୟାଗ ସହ ଶରୀରକୁ ଉତ୍ତମ ନିର୍ମାଣ ପାଇଁ ଯୋଗାସନ କରିଥାନ୍ତି ସାଧକ । କାରଣ ଯୋଗାସନ ଶରୀରକୁ ଆନନ୍ଦ ଦେଇଥାଏ ଏବଂ ସିଦ୍ଧ କରିଥାଏ । ଯୋଗାସନ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଯାହା ଜୀବନ ଧର୍ମ ପାଳନ ପାଇଁ ଅନ୍ତଃପ୍ରେରଣା ଭରିଦେଇଥାଏ । ଯୋଗ ଆସନର ନିର୍ଦ୍ଦିଷ୍ଟ ସଂଖ୍ୟା ନାହିଁ । ଇଶ୍ବରଙ୍କ ସୃଷ୍ଟିରେ ୮୪ ଲକ୍ଷ ଜୀବଙ୍କ ଆଧାରରେ ୮୪ ଲକ୍ଷ ଆସନ ରହିଛି । କିନ୍ତୁ ଯୋଗ ସାଧାନା ପାଇଁ ଏହାମଧ୍ୟରୁ ଉତ୍କୃଷ୍ଟ ୮୪ଟି ଆସନକୁ ଗ୍ରହଣ କରାଯାଏ । ଅନ୍ୟତମ ଯୋଗଶାସ୍ତ୍ର ହଠପ୍ରଦୀପିକାରେ ୧୫ଟି, ଘେରଣ୍ଡ ସଂହିତାରେ ୩୨ଟି ଆସନକୁ ଅଭ୍ୟାସ ପାଇଁ ଗ୍ରହଣ କରାଯାଇଛି ।
ଅଷ୍ଟାଙ୍ଗ ଯୋଗର ଚତୁର୍ଥ ସୋପାନ- ପ୍ରାଣାୟାମ
ଯୋଗର ଚତୁର୍ଥ ସୋପାନ ପ୍ରାଣାୟାମ । ଯୋଗାସନ ପରେ ଶରୀରରେ ସ୍ଥିରତା, ଏକାଗ୍ରତା ଆସିଥାଏ । ଏହାପରେ ଜୀବନକୁ ଉତ୍ତରିତ ସୋପାନରେ ପହଞ୍ଚାଇବା ପାଇଁ ଶ୍ଵାସକୁ ନିୟନ୍ତ୍ରଣ କରାଯାଇଥାଏ । କାରଣ ପ୍ରାଣାୟାମ ମାନସିକ ଉନ୍ନତି ସହିତ ଶାରୀରିକ ଉନ୍ନତି ପାଇଁ ସହାୟକ ହୋଇଥାଏ । ପ୍ରାଣାୟମ ଦୁଇଟି ଶବ୍ଦର ସନ୍ଧିରେ ହୋଇଛି ଯଥା-ପ୍ରାଣ+ଆୟାମ । ପ୍ରାଣର ଅର୍ଥ ଜୀବନ ଓ ଆୟମର ଅର୍ଥ ହେଲା ବିସ୍ତାର ।
ଅଷ୍ଟାଙ୍ଗ ଯୋଗର ପଞ୍ଚମ ସୋପାନ- ପ୍ରତ୍ୟାହାର
ପ୍ରତ୍ୟ+ଆହାର= ପ୍ରତ୍ୟାହାର । ଅର୍ଥାତ ଇନ୍ଦ୍ରିୟ ଦ୍ଵାରା ଭୋଗ କରାଯାଉଥିବା ସମସ୍ତ ବାସନାର ପ୍ରତ୍ୟାହାର । ସଂସାରୀ ମଣିଷକୁ ଇନ୍ଦ୍ରିୟ ବାସନାମୂଖି କରିଥାଏ । ତେଣୁ ଯୋଗ ସାଧକ ବାହ୍ୟ ଜଗତର ଆକର୍ଷଣ ତ୍ୟାଗ ସହ ଇନ୍ଦ୍ରିୟ ଶକ୍ତିକୁ ଦମନ କରିଥାନ୍ତି ।
ଅଷ୍ଟାଙ୍ଗ ଯୋଗର ଷଷ୍ଠ ସୋପାନ- ଧାରଣା
ପୂର୍ବ ୫ଟି ସୋପାନ ଅତିକ୍ରମ ପରେ ସାଧକ ସଜ୍ଞାନ ହୋଇଉଠେ । ବାହ୍ୟ ଆକର୍ଷଣରୁ ମୁକ୍ତ ହୋଇସାରିଥିବା ମନକୁ ଏକାଗ୍ର କରିବାର ମାର୍ଗକୁ ଧାରଣା କୁହାଯ।ଏ । ଯୋଗୀ ନିର୍ଦ୍ଦିଷ୍ଟ ବିନ୍ଦୁରେ ଦୃଷ୍ଟି ନିବଦ୍ଧ କରିବାରେ ସକ୍ଷମ ହୋଇଥାଏ ।
ଅଷ୍ଟାଙ୍ଗ ଯୋଗର ସପ୍ତମ ସୋପାନ- ଧ୍ୟାନ
ଯୋଗର ସପ୍ତମ ସୋପାନରେ ସାଧକ ଅନ୍ତଃଚେତନାର ଦର୍ଶନ କରିଥାନ୍ତି । ମନ ସ୍ଥିର ହେବା ପରେ ଧ୍ୟାନ ଫଳର ଚେତନାର ଉଦ୍ରେକ ହୋଇଥାଏ । ବାହ୍ୟ ଜଗତର ସମସ୍ତ ଆଲୋଡ଼ନଠାରୁ ସାଧକ ବହୁ ଉର୍ଦ୍ଧ୍ୱକୁ ଉଠିଯାଇ ଥାନ୍ତି । ଯେଉଁ ଅବସ୍ଥାରେ ମନ ସମ୍ପୂର୍ଣ୍ଣ ବିଚାର ଶୂୂନ୍ୟ ହୋଇଯାଇଥାଏ ।
ଅଷ୍ଟାଙ୍ଗ ଯୋଗର ଅଷ୍ଟମ ସୋପାନ- ସମାଧି
ଏହି ସୋପାନରେ ପହଞ୍ଚିବା ପରେ ସାଧକ ସ୍ୱଶରୀର ଧାରଣ କରିଥିଲେ ବି ପରମାତ୍ମାଙ୍କୁ ପ୍ରାପ୍ତ କରିଥାନ୍ତି । ନିର୍ବେଦ, ନିର୍ବିକାର ସାଧକ ନିଜର ଅସ୍ତିତ୍ଵକୁ ମଧ୍ୟ ଭୁଲିଯାଆନ୍ତି । ବିଚାରଶୂନ୍ୟ ଚେତନାରେ ମହାନନ୍ଦର ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ ହୁଏ । ଯାହାକୁ ସମାଧି ବା ଦିବ୍ୟ ଜ୍ଞାନ ପ୍ରାପ୍ତି କୁହାଯାଇଥାଏ ।
Also Read: List of Most Popular 84 Yoga Asanas or Yoga poses and Their Benefits